Wednesday 14 January 2015

ନୀଳଶୈଳ

ସୁରେନ୍ଦ୍ର ମହାନ୍ତିଙ୍କ ନୀଳଶୈଳ ଉପନ୍ୟାସ । ଏହା ଉପରେ କିଛି ଲେଖିବା ଆରମ୍ଭ କରିବା ପୂର୍ବରୁ ଟିକେ ଦୀର୍ଘଶ୍ଵାସ ନେଇଯାଏ । ଏ ଗୋଟେ ଏମିତି ଏକ ଉପନ୍ୟାସ ଯାହା ଉପରେ ଲେଖିବା ମୋ ପାଇଁ ସହଜ ହେବନି, କିନ୍ତୁ ନ ଲେଖିଲେ ମୋତେ ସନ୍ତୁଷ୍ଟ ବି ଲାଗିବନି ।  ଏ ତ ଖାଲି ଏକ ଉପନ୍ୟାସ ନୁହେଁ, ଗୋଟେ ଜାତିର ଅସ୍ମିତାର ମାଦଳା ପାଞ୍ଜି ।


1964 ସାଲର ରଥଯାତ୍ରା ଦର୍ଶନ କରି ଲେଖକ ସୁରେନ୍ଦ୍ର ମହାନ୍ତି ଅନୁଭବ କରିଥିଲେ ସେ ମହାନାୟକର ବିଶାଳ ସତ୍ତାକୁ ଅତି ନିକଟରୁ ।  କେତେ ଅନ୍ତରଙ୍ଗ ସେ କଳା ଠାକୁର ଏ ଓଡ଼ିଆ ଜାତିର ।

ଲେଖକଙ୍କ ଭାଷାରେ, "କାଦମ୍ବରୀ-ପ୍ରମତ୍ତ ବଳଦେବଙ୍କ ଦର୍ପିତ ପହଣ୍ଡି, କେତକୀ ଟାହିଆର ଠାଣି ଓ ବିଜେ କାହାଳୀ, ଘଣ୍ଟାନାଦ ମଧ୍ୟରେ ମୋର ଦୃଷ୍ଟିପଥରେ ଉଦ୍ଭାସିତ ହୋଇ ଉଠିଥିଲା ଇତିହାସରେ ବହୁ କ୍ଷତବିକ୍ଷତ ସେହି ଅପରାଜେୟ ଓଡ଼ିଆ ଆତ୍ମାର ଅଭ୍ୟୁଦୟ । ସେ ଦିନରେ ସେହି ଅବିସ୍ମରଣୀୟ ଅନୁଭୂତି ମୋତେ ଯେଉଁ ପ୍ରେରଣା ଦେଇଥିଲା - ନୀଳଶୈଳ ତାହାର ପରିଣତି ।"

ନୀଳଶୈଳକୁ ମୁଁ ଦେଖେ ଦୁଇଟି ଭାଗରେ । ଗୋଟେ ଐତିହାସିକ ଆଉ ଗୋଟେ ଭାବାତ୍ମକ । ପ୍ରଥମ ଭାଗଟି ରାମଚନ୍ଦ୍ର ଦେବ ବା ହାଫିଜ କାଦର, ତକୀ ଖାଁ, ବକ୍ସି ବେଣୁ ଭ୍ରମରବର ଆଦି ଚରିତ୍ରକୁ ନେଇ ଅଷ୍ଟାଦଶ ଶତାବ୍ଦୀର ଓଡ଼ିଶା ତଥା ଜଗନ୍ନାଥଙ୍କୁ କେନ୍ଦ୍ରିଭୁତ କରି ଗଢିଉଠିଥିବା ଘଟଣାକ୍ରମ ମାନ । ପରିସ୍ଥିତିରେ ପଡି ରାଜା ରାମଚନ୍ଦ୍ର ଦେବ ନିଜ ଧର୍ମ ପରିବର୍ତ୍ତନ କରିଛନ୍ତି ଓ ହୋଇଛନ୍ତି ହାଫିଜ କାଦର । ମନ କିନ୍ତୁ ତଥାପି ଜଗନ୍ନାଥଙ୍କ ନିକଟରେ । ଶ୍ରୀମନ୍ଦିର ଉପରେ ସାମ୍ଭାବ୍ୟ ଆକ୍ରମଣକୁ ଦେଖି ଜଗନ୍ନାଥଙ୍କୁ ଲୁଚେଇ ନେଇ ଚିଲିକାର ଏକ ଅଜ୍ଞାତ ସ୍ଥାନରେ ସ୍ଥାପିତ କରିବା ଉପରେ ପୁରା ଉପନ୍ୟାସ ପର୍ଯ୍ୟବେଷିତ । ଦ୍ଵିତୀୟ ଭାଗଟି ସରଦେଈ, ଜଗୁନି ଆଦି ଚରିତ୍ରକୁ ନେଇ ଜଗନ୍ନାଥଙ୍କ ସହ ଏ ଜାତିର ଥିବା ଭାବାତ୍ମକ ଆବେଗ ।ଦେଖିବାକୁ ଗଲେ, ରାମଚନ୍ଦ୍ର ଦେବ ନୁହେଁ ବରଂ ସରଦେଇ ହିଁ ଏ ଉପନ୍ୟାସର ମୁଖ୍ୟ ଚରିତ୍ର । ସରଦେଇ, ଜଣେ ନିରାଶ୍ରୀ ବିଧବା ମହିଳା । ଜଗୁନିର ସହାୟତାରେ ଚଟିଘରଟିଏ ଚଳାଏ । ପରିସ୍ଥିତିର ଚାପରେ ଜୀବନରେ ସବୁ କିଛି ହରେଇଥିଲେ ବି ଆସ୍ଥା ତାର ତୁଟିନି ଜଗନ୍ନାଥଙ୍କ ଉପରୁ । ଜଗନ୍ନାଥଙ୍କୁ ଲୁଚେଇକି ନେଇ ଚିଲିକାରେ ଅବସ୍ଥାପିତ କରାଗଲା ବେଳେ ମହାପ୍ରଭୁ ରହିଛନ୍ତି ସରଦେଇର ଚଟିଘରେ ରାତିକ ପାଇଁ । ଅସୁସ୍ଥ ହୋଇ ଶେଯରେ ପଡି ରହିଥିବା ସରଦେଇ ଜାଣିପାରିନି କିଛି ସେଦିନ ରାତିରେ । କିନ୍ତୁ ପରେ ଅନୁଭବ କରିଛି ସେ ମହାସତ୍ତାକୁ । ଦେଖିଛି କାଳିଆ ଠାକୁରକୁ ନିଜ ଭାବ ଚକ୍ଷୁରେ । ସ୍ପର୍ଶ କରିଛି ତା ଉପସ୍ଥିତିକୁ ତା ଅନୁପସ୍ଥିତିରେ ।

ବହିଟି ପଢିଲା ବେଳେ ମୁଁ ଚାଲି ଯାଇଛି କେତେଥର ସେ ସମୟର ଓଡ଼ିଶାକୁ । ଜଗନ୍ନାଥ ସଡକରେ ଚାଲିଚାଲି ଯାଉଥିବା ଭକ୍ତ ମାନଙ୍କ ସହ ମୁଁ ବି ଚାଲିଛି ପୁରୀ ଅଭମୁଖେ । ସରଦେଈର ଚଟିଘରେ କଟାଇଛି ରାତ୍ରି । ଜଗୁନି ସହ ଜଗନ୍ନାଥଙ୍କୁ ସଙ୍ଗରେ ନେଇ ଘୁରି ବୁଲିଛି ଚିଲିକାର ନୀଳ ଜଳରାଶିରେ । ସରଦେଈ ସହ ଅନୁଭବ କରିଛି ଚନ୍ଦନ କସ୍ତୁରିର ଗନ୍ଧକୁ ସେ ଚଟିଘରେ । ଦୟଣା, କେତକୀର ଭୂରି ଭୂରି ସୁଗନ୍ଧରେ ମୁଁ ବି ହୋଇ ପଡିଛି ବିମୋହିତ । ପାଗଳ ପ୍ରାୟ ଦଉଡ଼ି ଦଉଡ଼ି ଖୋଜିଛି ସେ କଳା ରୂପକୁ ଚିଲିକାର ବାଲୁକା ରାଶିରେ ।

ନୀଳଶୈଳ ଉପରେ କିଛି ସମୀକ୍ଷା ଲେଖିବା ମୋର ଅଭିପ୍ରାୟ ନୁହେଁ । ସମୀକ୍ଷା ଲେଖିବା ବି ମୋର ସୀମା ବାହାରେ । ଇଏ ଏକ କାଳଜୟୀ ସୃଷ୍ଟି । ଏ ବ୍ଲଗଟି ଏଥିପାଇଁ ଲେଖୁଛି ଯେ, ଏହାକୁ ପଢ଼ି ନିଶ୍ଚୟ କେହି ଅନୁପ୍ରାଣିତ ହେବେ ଏବଂ ପଢ଼ିବେ ଉପନ୍ୟାସଟିକୁ । ଆଉ ଅନୁଭବ କରି ପାରିବେ ସେତେବେଳର ଓଡିଶାକୁ, ଜଗନ୍ନାଥଙ୍କ ସହ ଯୋଡି ହୋଇ ରହିଥିବା ଏ ଜାତିର ଭାବାବେଗକୁ । ନୀଳଶୈଳ ଉପନ୍ୟାସ 1969 ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇ ସାରିଛି । ସୁଯୋଗ ମିଳିଲେ ଏହାକୁ ଥରେ ନିଶ୍ଚୟ ପଢନ୍ତୁ ।

|| ଜୟ ଜଗନ୍ନାଥ ||

Friday 9 January 2015

ମୋ ପ୍ରଭୁ
















ସୁଖରେ ହେଉ
             ଅବା  ଦୁଃଖରେ,
ଦୂରରେ ହେଉ
            ଅବା ପାଖରେ |

ଶ୍ରଦ୍ଧାରେ ହେଉ
            ଅବା ଭକ୍ତିରେ,
ଚିତ୍ତରେ ହେଉ
            ଅବା ସ୍ମୃତିରେ |

ଯୋଗରେ ହେଉ
                ଅବା ଭୋଗରେ,
ଗ୍ଲାନିରେ ହେଉ
              ଅବା କ୍ଷୋଭରେ |

ଅଭିମାନ
        ଅନୁଭବରେ,
ତୁ ତ ଅଛୁ ରେ
        ସବୁରେ |

ଅବ୍ୟକ୍ତ ଚେତନା ତୁ
            ମୋ ଭାବର ଠାକୁର,
ତୋ ଠାରୁ ଆରମ୍ଭ ମୁଁ
           ହେବି ତୋ ଠାରେ ବିଲୀନ |

ଆତ୍ମାରେ ହେଉ
             ଅବା ମୋ ସତ୍ତାରେ,
ମୋ ଠାରେ ତୁ
              ତୁ ମୋ କର୍ତ୍ତାରେ |

== *** ==
|| ଜୟ ଜଗନ୍ନାଥ ||

Wednesday 7 January 2015

କଲ ଦାଣ୍ଡର ଭିକାରି

ଓଡ଼ିଆ ସଂସ୍କୃତିରେ ବାର ମାସରେ ତେର ପର୍ବ । ଅନେକ ପର୍ବ ପର୍ବାଣୀ ଭିତରେ ଦୋଳ ଉତ୍ସବଟି ଆମ ଗାଁରେ ବହୁ ଆଡମ୍ବରରେ ପାଳନ କରାଯାଇଥାଏ । ଏ ହେଉଛି ନବେ ଦଶକର କଥା । ଆମ ଗାଁର ଦୋଳ ଉତ୍ସବ ନିଜର ଶତ ବାର୍ଷିକୀ ପୁରଣ କରୁଥାଏ । ସବୁବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ନାଁ ରେ "ପାନବାଲା ବାବୁ / ଲେ ଲେଇଯା ଲଚକ ମଣି" ଟାଇପର ମେଲୋଡି ଦେଖାଉଥିବା ଯୁବକ ସଂଘ ପିଲାଙ୍କୁ କିଏ ବୋଧେ ଶୁଭବୁଦ୍ଧି ଦେଇଥିଲା ଜୀବନରେ ପ୍ରଥମ ଓ ଶେଷ ଥର ପାଇଁ ସେହି ବର୍ଷ । ସ୍ଥିର ହୋଇଥିଲା ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମରେ ଭଜନ ସମାରୋହ ଅନୁଷ୍ଠିତ ହେବ ଓଡ଼ିଶାର ପ୍ରତିଷ୍ଠିତ ସଂଗୀତ ଶିଳ୍ପୀ ମାନଙ୍କୁ ନେଇ ।

ମେଲଣ ପଡିଆରେ ତିଆରି ହୋଇଥାଏ ଏକ ବଡ ଷ୍ଟେଜ୍ । ଓଡ଼ିଶାର ସେତେବେଳର ସବୁ ବଡ ବଡ ସଂଗୀତ ଶିଳ୍ପୀ ମାନେ ବସିଥାନ୍ତି ସେ ମଞ୍ଚରେ । ଶହ ଶହ ଲୋକଙ୍କ ଉପସ୍ଥିତିରେ ବସନ୍ତ ସନ୍ଧ୍ୟାରେ ବସିଲା ସଂଗୀତର ଆସର । "କେରି କେରି ସୁନା ଦୁବ" ଗୀତର ସେ ସମୟରେ ଥିଲା ଜବରଦସ୍ତ କ୍ରେଜ  । ଯେତେବେଳେ ସେ ଗୀତଟି ପରିବେଷଣ କରାଗଲା ଗୋଟେ ଅଲଗା ପରିବେଶ ସୃଷ୍ଟି ହୋଇସାରିଥିଲା ସେ ଜାଗାରେ । ଭିଡ ଭିତରୁ ମୁଁ ଚାହିଁ ଥାଏ ଷ୍ଟେଜ୍ କୁ । ସେମାନଙ୍କ ଭିତରେ ଥିବା କିଛି ଲୋକଙ୍କୁ ମୁଁ ଆଗରୁ ଟିଭିରେ ବେଳେବେଳେ ଦେଖିଥିଲି । ଅନେକଙ୍କୁ ଚିହ୍ନି ନଥିଲି ।

ଘୋଷକ ଅନୁରୋଧ କଲେ ପରବର୍ତ୍ତୀ ଭଜନ ପରିବେଷଣ କରିବାକୁ ଭିକାରି ବଳଙ୍କୁ । ଧଳା ରଂଗର ଧୋତି ପଂଜାବି ପିନ୍ଧି ବସିଥିବା 60 ବର୍ଷର ଜଣେ କ୍ଷୀଣକାୟ ବ୍ୟକ୍ତି । ଝାପସା ଝାପସା ଯାହା ମନେ ପଡୁଛି ମୋର ।

"ମୁଁ ତ ବଡ଼ ଦେଉଳର ପାରାରେ
ନୀଳଚକ୍ର ମୋର ଆଶରା.."

ସେତେବେଳର ବହୁ ଚର୍ଚ୍ଚିତ ଭଜନ । ସେ ସମୟରେ ଏ ଗୀତ, ସଂଗୀତ ତଥା ସଂଗୀତ ଶିଳ୍ପୀ ଆଦିଙ୍କ ଉପରେ ମୋର ଜ୍ଞାନ ଥିଲା ପୁରା ଶୁନ । କେବେ ଭାବି ନଥିଲି ଜଣେ ପରିଣତ ବୟସର ବ୍ୟକ୍ତି ଏମିତି ମିଠା ମିଠା ଯୁବ ସୁଲଭ ସ୍ବରରେ ଗୀତ ଗାଇ ପାରିବେ ବୋଲି । ସାରା ଜନ ସମୁଦ୍ର ଥିଲା ମନ୍ତ୍ରମୁଗ୍ଧ | ପ୍ରଥମ ଥର ପାଇଁ ମୁଁ ଦେଖିଲି ଆଉ ଆଖି ସାମନାରୁ ଶୁଣିଲି ଓଡ଼ିଶାର ଭଜନ ସମ୍ରାଟଙ୍କୁ


ଭିକାରି ବଳଙ୍କ ଗୀତରେ ଭାବ ଓ ଭକ୍ତି ସମାହିତ ହୋଇଥାଏ । ଏମିତି କେହି ଓଡ଼ିଆ ନଥିବେ ଯିଏ ଭିକାରି ବଳ ଗୀତ ଶୁଣି ଭାବରେ ମଜ୍ଜି ଯାଇ ନଥିବେ କେବେ । ଯେ କୌଣସି ପରିବେଶକୁ ଭକ୍ତିମୟ କରି ତୋଳେ ବଳଙ୍କ ଭଜନ । 

ଭିକାରି ବଳଙ୍କ ଭଜନର ଏକ ସ୍ବତନ୍ତ୍ର ପରିଚୟ ରହିଛି । ଆଜିକାଲିର ଶବ୍ଦ ପ୍ରଦୁଷଣ ଭିତ୍ତିକ ଭଜନ ଭିତରେ ଅଣନିଶ୍ବାସୀ ହୋଇ ପଡୁଥିବା ହୃଦୟକୁ ସେ ବଳଙ୍କ ଗୀତ ଦିଏ ଶୀତଳ ସ୍ପର୍ଶ । ହାରମୋନିଅମ, ତବଲା, ବଂଶୀ..ବାସ୍, ଏଇ କେତୋଟି ବାଦ୍ୟଯନ୍ତ୍ର.. ଆଉ ଭାବପୂର୍ଣ ଶବ୍ଦ ମଧ୍ୟରେ.. ଭିକାରି ବଳଙ୍କ ସ୍ବର । ସିଏ ପରମ ତୃପ୍ତି !! ମନ ନିଜ ସତ୍ତା ଭୁଲି ସେ ବିଭୂ ପାଦ ତଳେ ଯାଇ ପହଞ୍ଚିଯାଏ

"କୋଠ ଭୋଗଖିଆ ମୋ ଚକା ଆଖିଆ
ଉଠ ହେ ପହଡ଼ ଭାଙ୍ଗିି"


"ଜଗନ୍ନାଥ ତୁମେ ଯଦି ଲକ୍ଷ୍ମୀ ହୁଅନ୍ତ,
ଲକ୍ଷ୍ମୀ ଠାକୁରାଣୀ ଦୁଃଖ ବୁଝି ପାରନ୍ତ"


"ଜଗନ୍ନାଥିଆର ଶ୍ରୀମହାପ୍ରସାଦ,
ପାଗଳ କଲାରେ ଭାଇ"

"ଷାଠିଏ ପଉଟି ଭୋଗରୁ ତୁମର 
କାଢି ତ ନେଇନି ହରି, 
କୁହ ତେବେ କେଉଁ ଅପରାଧେ ମୋତେ 
କଲ ଦାଣ୍ଡର ଭିକାରି"

ଏ ଏକ ଅସରନ୍ତି ଲମ୍ବା ତାଲିକା । "ଭିକାରି ବଳଙ୍କ" ବିଷୟରେ ଆଉ କିଛି ଅଧିକା ତଥ୍ୟ wiki page ରୁ ପାଇ ପାରିବେ


|| ଜୟ ଜଗନ୍ନାଥ ||

Tuesday 6 January 2015

ଭକ୍ତର ଭଗବାନ | ଆଉ ଏକ କାହାଣୀ

ଶୀତଦିନର କୁହୁଡିଆ ସକାଳ । କାଳିଆର ନାମ ଜପି ଜପି ନୀଳାଚଳ ଅଭିମୁଖେ ଚାଲିଥାନ୍ତି ଜଣେ ସାଧୁ । ମନ ପ୍ରାଣ ତାଙ୍କର ଭକ୍ତି ଧାରାରେ ପ୍ଲାବିତ । ରାସ୍ତା ଘାଟ ସବୁ ତାଙ୍କୁ ଆଜି ମନେ ହେଉଥାଏ ଜଗନ୍ନାଥ ମୟ । ଆଖିରେ କେବଳ ଗୋଟିଏ ଆଶା, କେମିତି ଆଖି ପୁରେଇ ଥରେ ଯାଇ ଦେଖିନେବେ ସେ ଲୀଳାମୟଙ୍କୁ । ମନ ବେଳକୁ ବେଳ ହେଇ ଯାଉଥାଏ ଉଚ୍ଚାଟ । ଛାତି ଭିତରୁ ମାଡି ଆସୁଥାଏ କୋହ । ଭାବ ବିହ୍ଵଳ ହୋଇ ଚାଲିଥାନ୍ତି ସେ ପୁରୀ ଅଭିମୁଖେ, ଜଗା କାଳିଆର ଜଣାଣ ଗାଇ ଗାଇ ।

ସାହାପୁର ନିକଟରେ ଜଗନ୍ନାଥ ସଡକର କଡକୁ ଲାଗି ଏକ ସୁନ୍ଦର ପୁଷ୍କରଣୀ । ଶୀତୁଆ ସକାଳର କାକର ଭିଜା ଧରା । ଅଳସୁଆ ଖରା ଅଳସ ଭାଙ୍ଗି ମାନ୍ଦା ମାନ୍ଦା ହସୁଥାଏ ଯେମିତି । ପୁଷ୍କରଣୀରେ ଲାଲ ଗୋଲାପି ରଙ୍ଗର ଶହ ଶହ ପଦ୍ମଫୁଲ ଫୁଟି ଅପୁର୍ବ ଶୋଭା ମଣ୍ଡିତ କରୁଥାଏ । ପଦ୍ମ ପତ୍ରରେ ସକାଳର କାକର ପଡି ମୋତିର ଭ୍ରମ ସୃଷ୍ଟି କରୁଥାଏ ।



ସାଧୁ ଚିନ୍ତା କଲେ ଏ ଫୁଲକୁ ତୋଳିନେଇ କଳା ଠାକୁରଙ୍କୁ ଅର୍ପଣ କରିବି । ପଙ୍କଜ ମୁଖକୁ ଏ ଲାଲ ଗୋଲାପି ପଦ୍ମଫୁଲ ଭାରି ମାନିବ ।  ନିଜ ଗାମୁଛାରେ ପଦ୍ମ ଫୁଲ ସବୁ ତୋଳି ସେ ବାନ୍ଧି ଦେଲେ । କାନ୍ଧରେ ଗାମୁଛା ପକାଇ ମହା ଆନନ୍ଦରେ ପୁଣି ଚାଲିଲେ ଶ୍ରୀକ୍ଷେତ୍ର ଅଭିମୁଖେ । ଭକ୍ତିରେ ଯେ ବାଇଆ ତାକୁ ଏ ମିଛ ସଂସାରର ନିୟମ ବି ଲାଗେ ନିରାଧାର । ବହୁତ ଲମ୍ବା ରାସ୍ତା ଚାଲି ଚାଲି ଶେଷରେ ସେ ଯାଇ ପହଁଚିଲେ ପୁରୀରେ । ଏତେ ବାଟ ଚାଲି ଚାଲି ଆସିଥିଲେ ବି ତାଙ୍କ ମନରେ ନଥିଲା କ୍ଲାନ୍ତି, ଅବଶାଦ । ମନରେ କେବଳ ଗୋଟିଏ ଆଶା । କଳା ଠାକୁରଙ୍କୁ ସଜ କରେଇବେ ସେ ପଦ୍ମ ଫୁଲରେ ।

ସିଂହଦ୍ୱାରର ପାଖକୁ ଲାଗି ବଡ଼ଛତା ମଠ । ମଠରେ ଟିକେ ରହି ସାଧୁ ଚାଲିଲେ ଶ୍ରୀମନ୍ଦିର ଭିତରକୁ । ଭିତରେ ଯାଇ ସେବକଙ୍କୁ ବଢାଇ ଦେଲେ ଗାମୁଛାରେ ଆଣିଥିବା ଫୁଲ । କିନ୍ତୁ ଏ କଣ !! ଫୁଲ ଗୁଡିକ ଏତେ ସମୟ ଗାମୁଛାରେ ରହି କଳା ମଳିନ ପଡି ଯାଇଥାଏ । ବାସି ନଷ୍ଟ ହୋଇଯାଇଥିବା ଫୁଲକୁ ଦେଖି ମନ୍ଦିର ଭିତରେ ଥିବା ପଣ୍ଡାମାନେ ଭୀଷଣ ରାଗିଗଲେ । ନାନା କଟୁ କଥା କହି ମାଡ ଗାଳି ଦେଇ ମନ୍ଦିରରୁ ବିଦା କରିଦେଲେ । ମାଡ ଗାଳି ତଥା ପ୍ରଚଣ୍ଡ ମାନସିକ ଅବସାଦରେ ସାଧୁ ଅଚେତ ହୋଇ ପଡିଗଲେ । ବଡଛତା ମଠର ସେବକ ମାନେ ସାଧୁଙ୍କୁ ମଠକୁ ଘେନି ଆଣିଲେ ।

ରାତିରେ ସେଦିନ ଗଜପତି ମହାରାଜଙ୍କୁ ସ୍ୱପ୍ନାଦେଶ ହେଲା । ଅବିଳମ୍ବେ ଯାଇ ମୋ ଭକ୍ତ ଆଣିଥିବା ଫୁଲକୁ ମୋତେ ଅର୍ପଣ କରାଯାଉ । ରାଜା ରାଜଗୁରୁଙ୍କୁ ନେଇ ବଡଛତା ମଠରେ ପହଞ୍ଚିଲେ । ସାଧୁଙ୍କୁ ଧରି ମନ୍ଦିରକୁ ପ୍ରବେଶ କଲେ । ସାଧୁ ଗାମୁଛାରେ ଆଣିଥିବା ଫୁଲକୁ କାଢ଼ିଲେ । କିନ୍ତୁ ଏ କି ଚମତ୍କାର !! ପଦ୍ମ ଫୁଲ ଗୁଡିକ ସଜ ତୋଳା ଫୁଲ ପରି ସତେଜ ଓ ସୁନ୍ଦର ଦେଖା ଯାଉଥାଏ । ଏକ ଅପୁର୍ବ ବାସନାରେ ମନ୍ଦିର ମହକି ଯାଉଥାଏ । ସେ ଫୁଲରେ ଯେତେବେଳେ ବିଗ୍ରହଙ୍କୁ ସଜ କରାଗଲା କଳା ଠାକୁରଙ୍କ ମୁହଁରେ ହଜି ଯାଇଥିବା ହସ ପୁଣି ଲେଉଟି ଆସିଲା । ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇଗଲା ଶ୍ରୀମନ୍ଦିର ।

ଭକ୍ତର ଅପମାନ କେମିତି ଅବା ସହିଥାନ୍ତେ ସେ ଭାବଗ୍ରାହୀ ! ଧନ୍ୟ ତୁମେ ଲୀଳାମୟ । ଧନ୍ୟ  ତୁମର ଲୀଳା ।

ସେହି ଦିନ ଠାରୁ ପ୍ରତି ବର୍ଷ ସେହି ନିର୍ଦ୍ଧିଷ୍ଟ ଦିନରେ ଶ୍ରୀମନ୍ଦିରରେ ପ୍ରଭୁଙ୍କ ପଦ୍ମବେଶ କରାଯାଇଥାଏ ।

|| ଜୟ ଜଗନ୍ନାଥ ||

( ଗଳ୍ପଟି ଲୋକ କଥାରୁ ଅନୁପ୍ରେରିତ )