Wednesday 14 January 2015

ନୀଳଶୈଳ

ସୁରେନ୍ଦ୍ର ମହାନ୍ତିଙ୍କ ନୀଳଶୈଳ ଉପନ୍ୟାସ । ଏହା ଉପରେ କିଛି ଲେଖିବା ଆରମ୍ଭ କରିବା ପୂର୍ବରୁ ଟିକେ ଦୀର୍ଘଶ୍ଵାସ ନେଇଯାଏ । ଏ ଗୋଟେ ଏମିତି ଏକ ଉପନ୍ୟାସ ଯାହା ଉପରେ ଲେଖିବା ମୋ ପାଇଁ ସହଜ ହେବନି, କିନ୍ତୁ ନ ଲେଖିଲେ ମୋତେ ସନ୍ତୁଷ୍ଟ ବି ଲାଗିବନି ।  ଏ ତ ଖାଲି ଏକ ଉପନ୍ୟାସ ନୁହେଁ, ଗୋଟେ ଜାତିର ଅସ୍ମିତାର ମାଦଳା ପାଞ୍ଜି ।


1964 ସାଲର ରଥଯାତ୍ରା ଦର୍ଶନ କରି ଲେଖକ ସୁରେନ୍ଦ୍ର ମହାନ୍ତି ଅନୁଭବ କରିଥିଲେ ସେ ମହାନାୟକର ବିଶାଳ ସତ୍ତାକୁ ଅତି ନିକଟରୁ ।  କେତେ ଅନ୍ତରଙ୍ଗ ସେ କଳା ଠାକୁର ଏ ଓଡ଼ିଆ ଜାତିର ।

ଲେଖକଙ୍କ ଭାଷାରେ, "କାଦମ୍ବରୀ-ପ୍ରମତ୍ତ ବଳଦେବଙ୍କ ଦର୍ପିତ ପହଣ୍ଡି, କେତକୀ ଟାହିଆର ଠାଣି ଓ ବିଜେ କାହାଳୀ, ଘଣ୍ଟାନାଦ ମଧ୍ୟରେ ମୋର ଦୃଷ୍ଟିପଥରେ ଉଦ୍ଭାସିତ ହୋଇ ଉଠିଥିଲା ଇତିହାସରେ ବହୁ କ୍ଷତବିକ୍ଷତ ସେହି ଅପରାଜେୟ ଓଡ଼ିଆ ଆତ୍ମାର ଅଭ୍ୟୁଦୟ । ସେ ଦିନରେ ସେହି ଅବିସ୍ମରଣୀୟ ଅନୁଭୂତି ମୋତେ ଯେଉଁ ପ୍ରେରଣା ଦେଇଥିଲା - ନୀଳଶୈଳ ତାହାର ପରିଣତି ।"

ନୀଳଶୈଳକୁ ମୁଁ ଦେଖେ ଦୁଇଟି ଭାଗରେ । ଗୋଟେ ଐତିହାସିକ ଆଉ ଗୋଟେ ଭାବାତ୍ମକ । ପ୍ରଥମ ଭାଗଟି ରାମଚନ୍ଦ୍ର ଦେବ ବା ହାଫିଜ କାଦର, ତକୀ ଖାଁ, ବକ୍ସି ବେଣୁ ଭ୍ରମରବର ଆଦି ଚରିତ୍ରକୁ ନେଇ ଅଷ୍ଟାଦଶ ଶତାବ୍ଦୀର ଓଡ଼ିଶା ତଥା ଜଗନ୍ନାଥଙ୍କୁ କେନ୍ଦ୍ରିଭୁତ କରି ଗଢିଉଠିଥିବା ଘଟଣାକ୍ରମ ମାନ । ପରିସ୍ଥିତିରେ ପଡି ରାଜା ରାମଚନ୍ଦ୍ର ଦେବ ନିଜ ଧର୍ମ ପରିବର୍ତ୍ତନ କରିଛନ୍ତି ଓ ହୋଇଛନ୍ତି ହାଫିଜ କାଦର । ମନ କିନ୍ତୁ ତଥାପି ଜଗନ୍ନାଥଙ୍କ ନିକଟରେ । ଶ୍ରୀମନ୍ଦିର ଉପରେ ସାମ୍ଭାବ୍ୟ ଆକ୍ରମଣକୁ ଦେଖି ଜଗନ୍ନାଥଙ୍କୁ ଲୁଚେଇ ନେଇ ଚିଲିକାର ଏକ ଅଜ୍ଞାତ ସ୍ଥାନରେ ସ୍ଥାପିତ କରିବା ଉପରେ ପୁରା ଉପନ୍ୟାସ ପର୍ଯ୍ୟବେଷିତ । ଦ୍ଵିତୀୟ ଭାଗଟି ସରଦେଈ, ଜଗୁନି ଆଦି ଚରିତ୍ରକୁ ନେଇ ଜଗନ୍ନାଥଙ୍କ ସହ ଏ ଜାତିର ଥିବା ଭାବାତ୍ମକ ଆବେଗ ।ଦେଖିବାକୁ ଗଲେ, ରାମଚନ୍ଦ୍ର ଦେବ ନୁହେଁ ବରଂ ସରଦେଇ ହିଁ ଏ ଉପନ୍ୟାସର ମୁଖ୍ୟ ଚରିତ୍ର । ସରଦେଇ, ଜଣେ ନିରାଶ୍ରୀ ବିଧବା ମହିଳା । ଜଗୁନିର ସହାୟତାରେ ଚଟିଘରଟିଏ ଚଳାଏ । ପରିସ୍ଥିତିର ଚାପରେ ଜୀବନରେ ସବୁ କିଛି ହରେଇଥିଲେ ବି ଆସ୍ଥା ତାର ତୁଟିନି ଜଗନ୍ନାଥଙ୍କ ଉପରୁ । ଜଗନ୍ନାଥଙ୍କୁ ଲୁଚେଇକି ନେଇ ଚିଲିକାରେ ଅବସ୍ଥାପିତ କରାଗଲା ବେଳେ ମହାପ୍ରଭୁ ରହିଛନ୍ତି ସରଦେଇର ଚଟିଘରେ ରାତିକ ପାଇଁ । ଅସୁସ୍ଥ ହୋଇ ଶେଯରେ ପଡି ରହିଥିବା ସରଦେଇ ଜାଣିପାରିନି କିଛି ସେଦିନ ରାତିରେ । କିନ୍ତୁ ପରେ ଅନୁଭବ କରିଛି ସେ ମହାସତ୍ତାକୁ । ଦେଖିଛି କାଳିଆ ଠାକୁରକୁ ନିଜ ଭାବ ଚକ୍ଷୁରେ । ସ୍ପର୍ଶ କରିଛି ତା ଉପସ୍ଥିତିକୁ ତା ଅନୁପସ୍ଥିତିରେ ।

ବହିଟି ପଢିଲା ବେଳେ ମୁଁ ଚାଲି ଯାଇଛି କେତେଥର ସେ ସମୟର ଓଡ଼ିଶାକୁ । ଜଗନ୍ନାଥ ସଡକରେ ଚାଲିଚାଲି ଯାଉଥିବା ଭକ୍ତ ମାନଙ୍କ ସହ ମୁଁ ବି ଚାଲିଛି ପୁରୀ ଅଭମୁଖେ । ସରଦେଈର ଚଟିଘରେ କଟାଇଛି ରାତ୍ରି । ଜଗୁନି ସହ ଜଗନ୍ନାଥଙ୍କୁ ସଙ୍ଗରେ ନେଇ ଘୁରି ବୁଲିଛି ଚିଲିକାର ନୀଳ ଜଳରାଶିରେ । ସରଦେଈ ସହ ଅନୁଭବ କରିଛି ଚନ୍ଦନ କସ୍ତୁରିର ଗନ୍ଧକୁ ସେ ଚଟିଘରେ । ଦୟଣା, କେତକୀର ଭୂରି ଭୂରି ସୁଗନ୍ଧରେ ମୁଁ ବି ହୋଇ ପଡିଛି ବିମୋହିତ । ପାଗଳ ପ୍ରାୟ ଦଉଡ଼ି ଦଉଡ଼ି ଖୋଜିଛି ସେ କଳା ରୂପକୁ ଚିଲିକାର ବାଲୁକା ରାଶିରେ ।

ନୀଳଶୈଳ ଉପରେ କିଛି ସମୀକ୍ଷା ଲେଖିବା ମୋର ଅଭିପ୍ରାୟ ନୁହେଁ । ସମୀକ୍ଷା ଲେଖିବା ବି ମୋର ସୀମା ବାହାରେ । ଇଏ ଏକ କାଳଜୟୀ ସୃଷ୍ଟି । ଏ ବ୍ଲଗଟି ଏଥିପାଇଁ ଲେଖୁଛି ଯେ, ଏହାକୁ ପଢ଼ି ନିଶ୍ଚୟ କେହି ଅନୁପ୍ରାଣିତ ହେବେ ଏବଂ ପଢ଼ିବେ ଉପନ୍ୟାସଟିକୁ । ଆଉ ଅନୁଭବ କରି ପାରିବେ ସେତେବେଳର ଓଡିଶାକୁ, ଜଗନ୍ନାଥଙ୍କ ସହ ଯୋଡି ହୋଇ ରହିଥିବା ଏ ଜାତିର ଭାବାବେଗକୁ । ନୀଳଶୈଳ ଉପନ୍ୟାସ 1969 ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇ ସାରିଛି । ସୁଯୋଗ ମିଳିଲେ ଏହାକୁ ଥରେ ନିଶ୍ଚୟ ପଢନ୍ତୁ ।

|| ଜୟ ଜଗନ୍ନାଥ ||

5 comments:

  1. ମୁଁ ବି କେବେ ପଢିନାହିଁ, କିନ୍ତୁ ଏଇଥର ଘରକୁ ଗଲେ ନିଶ୍ଚିତ ଏହି ବହିକୁ ଆଣିକି ପଢିବି ।

    ReplyDelete
  2. ୱାନ ଅଫ ମାଇ ଫେଭରିଟ୍!

    ReplyDelete
  3. ମୁଁ ବି ପଢ଼ିବି ଏଇ ବହିକୁ। ସବୁ ଓଡ଼ିଆ ନିଶ୍ଚୟ ଜାଣିବ ଦରକାର ନିଜ ଜାତିର ଇତିହାସକୁ ।

    ReplyDelete
  4. Odia sahitya prati apananka ae sraddha prasansaniya.

    ReplyDelete
  5. Please publish such contents on srujanee.in to help preserve such contents.

    ReplyDelete