Tuesday 6 January 2015

ଭକ୍ତର ଭଗବାନ | ଆଉ ଏକ କାହାଣୀ

ଶୀତଦିନର କୁହୁଡିଆ ସକାଳ । କାଳିଆର ନାମ ଜପି ଜପି ନୀଳାଚଳ ଅଭିମୁଖେ ଚାଲିଥାନ୍ତି ଜଣେ ସାଧୁ । ମନ ପ୍ରାଣ ତାଙ୍କର ଭକ୍ତି ଧାରାରେ ପ୍ଲାବିତ । ରାସ୍ତା ଘାଟ ସବୁ ତାଙ୍କୁ ଆଜି ମନେ ହେଉଥାଏ ଜଗନ୍ନାଥ ମୟ । ଆଖିରେ କେବଳ ଗୋଟିଏ ଆଶା, କେମିତି ଆଖି ପୁରେଇ ଥରେ ଯାଇ ଦେଖିନେବେ ସେ ଲୀଳାମୟଙ୍କୁ । ମନ ବେଳକୁ ବେଳ ହେଇ ଯାଉଥାଏ ଉଚ୍ଚାଟ । ଛାତି ଭିତରୁ ମାଡି ଆସୁଥାଏ କୋହ । ଭାବ ବିହ୍ଵଳ ହୋଇ ଚାଲିଥାନ୍ତି ସେ ପୁରୀ ଅଭିମୁଖେ, ଜଗା କାଳିଆର ଜଣାଣ ଗାଇ ଗାଇ ।

ସାହାପୁର ନିକଟରେ ଜଗନ୍ନାଥ ସଡକର କଡକୁ ଲାଗି ଏକ ସୁନ୍ଦର ପୁଷ୍କରଣୀ । ଶୀତୁଆ ସକାଳର କାକର ଭିଜା ଧରା । ଅଳସୁଆ ଖରା ଅଳସ ଭାଙ୍ଗି ମାନ୍ଦା ମାନ୍ଦା ହସୁଥାଏ ଯେମିତି । ପୁଷ୍କରଣୀରେ ଲାଲ ଗୋଲାପି ରଙ୍ଗର ଶହ ଶହ ପଦ୍ମଫୁଲ ଫୁଟି ଅପୁର୍ବ ଶୋଭା ମଣ୍ଡିତ କରୁଥାଏ । ପଦ୍ମ ପତ୍ରରେ ସକାଳର କାକର ପଡି ମୋତିର ଭ୍ରମ ସୃଷ୍ଟି କରୁଥାଏ ।



ସାଧୁ ଚିନ୍ତା କଲେ ଏ ଫୁଲକୁ ତୋଳିନେଇ କଳା ଠାକୁରଙ୍କୁ ଅର୍ପଣ କରିବି । ପଙ୍କଜ ମୁଖକୁ ଏ ଲାଲ ଗୋଲାପି ପଦ୍ମଫୁଲ ଭାରି ମାନିବ ।  ନିଜ ଗାମୁଛାରେ ପଦ୍ମ ଫୁଲ ସବୁ ତୋଳି ସେ ବାନ୍ଧି ଦେଲେ । କାନ୍ଧରେ ଗାମୁଛା ପକାଇ ମହା ଆନନ୍ଦରେ ପୁଣି ଚାଲିଲେ ଶ୍ରୀକ୍ଷେତ୍ର ଅଭିମୁଖେ । ଭକ୍ତିରେ ଯେ ବାଇଆ ତାକୁ ଏ ମିଛ ସଂସାରର ନିୟମ ବି ଲାଗେ ନିରାଧାର । ବହୁତ ଲମ୍ବା ରାସ୍ତା ଚାଲି ଚାଲି ଶେଷରେ ସେ ଯାଇ ପହଁଚିଲେ ପୁରୀରେ । ଏତେ ବାଟ ଚାଲି ଚାଲି ଆସିଥିଲେ ବି ତାଙ୍କ ମନରେ ନଥିଲା କ୍ଲାନ୍ତି, ଅବଶାଦ । ମନରେ କେବଳ ଗୋଟିଏ ଆଶା । କଳା ଠାକୁରଙ୍କୁ ସଜ କରେଇବେ ସେ ପଦ୍ମ ଫୁଲରେ ।

ସିଂହଦ୍ୱାରର ପାଖକୁ ଲାଗି ବଡ଼ଛତା ମଠ । ମଠରେ ଟିକେ ରହି ସାଧୁ ଚାଲିଲେ ଶ୍ରୀମନ୍ଦିର ଭିତରକୁ । ଭିତରେ ଯାଇ ସେବକଙ୍କୁ ବଢାଇ ଦେଲେ ଗାମୁଛାରେ ଆଣିଥିବା ଫୁଲ । କିନ୍ତୁ ଏ କଣ !! ଫୁଲ ଗୁଡିକ ଏତେ ସମୟ ଗାମୁଛାରେ ରହି କଳା ମଳିନ ପଡି ଯାଇଥାଏ । ବାସି ନଷ୍ଟ ହୋଇଯାଇଥିବା ଫୁଲକୁ ଦେଖି ମନ୍ଦିର ଭିତରେ ଥିବା ପଣ୍ଡାମାନେ ଭୀଷଣ ରାଗିଗଲେ । ନାନା କଟୁ କଥା କହି ମାଡ ଗାଳି ଦେଇ ମନ୍ଦିରରୁ ବିଦା କରିଦେଲେ । ମାଡ ଗାଳି ତଥା ପ୍ରଚଣ୍ଡ ମାନସିକ ଅବସାଦରେ ସାଧୁ ଅଚେତ ହୋଇ ପଡିଗଲେ । ବଡଛତା ମଠର ସେବକ ମାନେ ସାଧୁଙ୍କୁ ମଠକୁ ଘେନି ଆଣିଲେ ।

ରାତିରେ ସେଦିନ ଗଜପତି ମହାରାଜଙ୍କୁ ସ୍ୱପ୍ନାଦେଶ ହେଲା । ଅବିଳମ୍ବେ ଯାଇ ମୋ ଭକ୍ତ ଆଣିଥିବା ଫୁଲକୁ ମୋତେ ଅର୍ପଣ କରାଯାଉ । ରାଜା ରାଜଗୁରୁଙ୍କୁ ନେଇ ବଡଛତା ମଠରେ ପହଞ୍ଚିଲେ । ସାଧୁଙ୍କୁ ଧରି ମନ୍ଦିରକୁ ପ୍ରବେଶ କଲେ । ସାଧୁ ଗାମୁଛାରେ ଆଣିଥିବା ଫୁଲକୁ କାଢ଼ିଲେ । କିନ୍ତୁ ଏ କି ଚମତ୍କାର !! ପଦ୍ମ ଫୁଲ ଗୁଡିକ ସଜ ତୋଳା ଫୁଲ ପରି ସତେଜ ଓ ସୁନ୍ଦର ଦେଖା ଯାଉଥାଏ । ଏକ ଅପୁର୍ବ ବାସନାରେ ମନ୍ଦିର ମହକି ଯାଉଥାଏ । ସେ ଫୁଲରେ ଯେତେବେଳେ ବିଗ୍ରହଙ୍କୁ ସଜ କରାଗଲା କଳା ଠାକୁରଙ୍କ ମୁହଁରେ ହଜି ଯାଇଥିବା ହସ ପୁଣି ଲେଉଟି ଆସିଲା । ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇଗଲା ଶ୍ରୀମନ୍ଦିର ।

ଭକ୍ତର ଅପମାନ କେମିତି ଅବା ସହିଥାନ୍ତେ ସେ ଭାବଗ୍ରାହୀ ! ଧନ୍ୟ ତୁମେ ଲୀଳାମୟ । ଧନ୍ୟ  ତୁମର ଲୀଳା ।

ସେହି ଦିନ ଠାରୁ ପ୍ରତି ବର୍ଷ ସେହି ନିର୍ଦ୍ଧିଷ୍ଟ ଦିନରେ ଶ୍ରୀମନ୍ଦିରରେ ପ୍ରଭୁଙ୍କ ପଦ୍ମବେଶ କରାଯାଇଥାଏ ।

|| ଜୟ ଜଗନ୍ନାଥ ||

( ଗଳ୍ପଟି ଲୋକ କଥାରୁ ଅନୁପ୍ରେରିତ )

6 comments:

  1. ବାଃ! ଆପଣଙ୍କ #Odia ଲେଖା ଅତି ସୁନ୍ଦର! ମୋତେ ଏହି ଲାଇନଟି ବହୁ ଭଲ ଲାଗିଲା- "ଅଳସୁଆ ଖରା ଅଳସ ଭାଂଗୀ ମାନ୍ଦା ମାନ୍ଦା ହସୁଥାଏ |"

    ଏହାର ପରବର୍ତ୍ତୀ ଅଂଶ ବି ଜଲ୍ଦି ଲେଖନ୍ତୁ! ଆମେ ଅପେକ୍ଷାରେ ରହିଲୁ! :)

    ReplyDelete
  2. ଧନ୍ୟ ସେ ଲୀଳାମୟ କଳାଠାକୁର । ଜୟ ଜଗନ୍ନାଥ ।

    ReplyDelete
    Replies
    1. ଲେଖାଟିକୁ ପସନ୍ଦ କରିଥିବାରୁ ଧନ୍ୟବାଦ |

      Delete
  3. ଲେଖଟି ଖୁବ୍ ଭଲ, ସାଧୁଙ୍କର ପରିଚୟ ଟିକେ ଦେଲେ ଖୁବ୍ ଉତ୍ତମ ହୁଅନ୍ତା।

    ReplyDelete
    Replies
    1. ଲେଖାଟିକୁ ପସନ୍ଦ କରିଥିବାରୁ ଧନ୍ୟବାଦ | ସାଧୁଙ୍କର ନାଁ ମନୋହର ଦାସ

      Delete