Wednesday 19 November 2014

ଚନ୍ଦନ ସ୍ପର୍ଶ

ଚନ୍ଦନ ଯାତ୍ରା ସମୟ । ଶ୍ରୀମନ୍ଦିରରେ ଲାଗି ରହିଥାଏ ଗହଳ ଚହଳ । ଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ମଦନ ମୋହନ ବିଜେ କରିବେ ସନ୍ଧ୍ୟାରେ ଆଜି ନରେନ୍ଦ୍ର ପୋଖରୀ ଅଭିମୁଖେ । 

ଆମେ ସ୍ୱାମୀ, ସ୍ତ୍ରୀ ଦୁଇ ପ୍ରାଣୀ ରାଜ୍ୟ ବାହାରେ ରହୁ । କେବେ ଓଡ଼ିଶା ଆସିବା ହେଲେ ଭୁବନେଶ୍ୱରରୁ ସିଧା ଯାଉ ପୁରୀ । ପୁରୀରେ ଜଗନ୍ନାଥ ଦର୍ଶନ ସାରି ଫେରି ଆସୁ ଭୁବନେଶ୍ୱର । ତା ପରେ ଯାଇ ନିଜ ଗାଁ  । କେବେ ଚନ୍ଦନ ଯାତ୍ରା ଦେଖି ନଥିଲି । ଇଚ୍ଛା ଥିଲେ ବି ପୁରୀରୁ ଆଜି ଫେରିବାକୁ ହେବ । କାଳିଆକୁ ଟିକେ ଦର୍ଶନ କରି ବାହାରି ଯିବାକୁ ହେବ ।



ସିଂହଦ୍ୱାର ପାଖରେ ଗୋଡ ହାତ ଧୋଇ ଚାଲିଲୁ ଭିତରକୁ । ଛୋଟ ପିଲାଟିଏ ସଳିତା ବିଡାଟେ ଧରି କହୁଥାଏ କିଣିବା ପାଇଁ । ଭିତରୁ ଆସିଲେ କିଣିବୁ କହି ଚାଲିଲୁ ଆମେ ଦୁହେଁ ବାଇଶି ପାହାଚ ଡେଇଁ ଡେଇଁ । ଏତେ ବାଟରୁ ଯାହାକୁ ଦେଖିବାକୁ ଧାଇଁ ଆସିଛୁ, ତାକୁ ଆଗେ ଦେଖିସାରୁ । କିଣାବିକା ତ ହେଉଥିବ ।

ମନ୍ଦିର ଭିତରେ ଭକ୍ତ ଗହଣରେ ଲୀଳା କରୁଥାଏ ସେ ଲୀଳାମୟ । ଗରୁଡ ସ୍ତମ୍ଭ ପାଖରେ ଛିଡାହୋଇ ଚକାଆଖିକୁ ହାତଯୋଡି ସ୍ମରଣ କଲାବେଳେ ଶୁଭିଲା ପବିତ୍ର ଗୀତଗୋବିନ୍ଦର ଛନ୍ଦ ।

"ପ୍ରଳୟ ପୟୋଧି ଜଳେ
ଧୃତବାନସୀ ବେଦମ୍,
ବିହିତ ବହିତ୍ର ଚରିତ୍ରମ୍ ଖେଦମ୍,
କେଶବ ଧୃତ ମୀନ ଶରୀର
ଜୟ ଜଗଦୀଶ ହରେ"

ସ୍ତ୍ରୀ ଲୋକ ଜଣେ । ବୟସ 45 /50 ଭିତରେ ହେବ । ଆଖି ବୁଜି ଭକ୍ତି ରସରେ ତଲ୍ଲୀନ ହୋଇ ପଡିଥାନ୍ତି । କଣ୍ଠରୁ ଭାସି ଆସୁଛି ଜୟଦେବଙ୍କ ସେ ଅନବଦ୍ୟ ସୃଷ୍ଟି ।  ଆମେ ବି ଭାସିଗଲୁ ସେ ଭାବରେ କିଛି କ୍ଷଣ । ଏମିତି ଏଇଠି ଦିନେ ସେ ଭାବଗ୍ରାହୀଙ୍କୁ ଦେଖି, ଦିନେ ରଚନା କରିଥିବେ ଜୟଦେବ ଏ କାବ୍ୟକୁ । ସେମିତି ଏଇଠି ବସି ଭାଗବତର ଭକ୍ତିଧାରାକୁ ଲେଖନୀ ମୁନରେ ଆଙ୍କିଥିବେ ଦିନେ, ଭକ୍ତ ଜଗନ୍ନାଥ ଦାସ ।

ପାରାଟିଏ ଚାନ୍ଦୁଆ ତଳ ଦେଇ ଉଡିଗଲା ଗମ୍ଭୀରା ଭିତରକୁ । ଭିଡ ବଢି ବଢି ଚାଲୁଥାଏ ମନ୍ଦିରରେ । ଦର୍ଶନ ସାରି ଆମେ ବାହାରି ଗଲୁ  ମଦନ ମୋହନ ମନ୍ଦିର ପଟେ । ବ୍ରାହ୍ମଣ ଜଣେ ବେତ ମାଡ କରୁଥାଏ ଛୋଟ ବେତଟିଏ ଧରି ।

ଚନ୍ଦନ ଯାତ୍ରା ପାଇଁ ପ୍ରସ୍ତୁତି ଚାଲିଥାଏ ବୋଧେ । ଛୋଟ ମନ୍ଦିର ଟେ ମଦନ ମୋହନଙ୍କର । ଚୁଆ, ଚନ୍ଦନ, କିଆ, କେତକୀର ବାସ୍ନାରେ ଅପୁର୍ବ ଲାଗୁଥାଏ ସେ ଭିତରର ବାତାବରଣ । ଦର୍ଶନ ସାରି ଆସିବା ପାଇଁ ବାହାରିଲା ବେଳେ ଧର୍ମପତ୍ନୀ  କହିଲେ, "ରୁହ, ତୁଳସୀ ପାଦୁକା ଟିକେ ପାଇବାନି !" ଭିତରେ କେହି ବ୍ରାହ୍ମଣ ନଥିଲେ ସେତେବେଳେ । ବାହାରେ ଥିବା ଜଣେ ବ୍ରାହ୍ମଣଙ୍କୁ ଯାଇ ତୁଳସୀ ମାଗିଲୁ ।  ସେ ହାତ ଦେଖାଇ ରହିବା ପାଇଁ କହିଲେ । ଭିତରକୁ ଯାଇ ଗୋଟେ ପାତ୍ରରୁ ଚନ୍ଦନ ତୁଳସୀ ମିଶା ପାଣି କାଢି ଆମ ହାତରେ ଦେଲେ ।  ଚନ୍ଦନ ପାଣି କଣ ହେବ ଯେ ! ମୁଣ୍ଡରେ ଲଗାଇବି ବୋଲି ଚିନ୍ତା କରୁଥିଲା ବେଳେ ସେ ଇସାରାରେ କହିଲେ ପିଇବା ପାଇଁ । କେମିତି ଏକ ଅବିଶ୍ୱାସ ଭରା ମନରେ ଏକାଥରେ ପିଇଦେଲି ।

ଜୀବନରେ ୟା ଠୁ ଭଲ କିଛି କେବେ ଚାଖିନି । କି ସ୍ୱାଦ ସେ ! ମନ ପ୍ରାଣ ଏକ ଅପୁର୍ବ ଶୀତଳତାରେ ଚହଲି ଗଲା । ପରମ ତୃପ୍ତି ବୋଧେ ୟାକୁ ହିଁ କୁହନ୍ତି । ସେ ଅନୁଭୁତି ମୁଁ ଭାଷାରେ ଲେଖି ପାରିବି ନାହିଁ । ଆଜି ବି ସେ ଅନୁଭୁତି ବାଣ୍ଟିଲା ବେଳେ ମନରେ ଖେଳି ଯାଉଛି ଏକ ଅପୂର୍ବ ଶିହରଣ । ପବିତ୍ର ହୋଇ ଯାଉଛି ମନ ଓ ଶରୀର । ଜଗନ୍ନାଥମୟ ହୋଇ ଯାଉଛି ଏ ଦୁନିଆ ।

ଧନ୍ୟ ତୁମେ ମହାପ୍ରଭୁ, ଧନ୍ୟ ତୁମ ଲୀଳା ।


ପୁରୀରେ ଅନେକ ଖଟା ମିଠା ଅନୁଭୁତି ଅଛି | ଅନେକ ସମୟରେ ବ୍ରାହ୍ମଣ ମାନେ ଖରାପ ବ୍ୟବହାର ମଧ୍ୟ ଦେଖାଇଛନ୍ତି | କିନ୍ତୁ ସେ ଦିନର ଅନୁଭୁତି ଥିଲା ସ୍ବତନ୍ତ୍ର | ସେ ଚନ୍ଦନର ସ୍ପର୍ଶ ଥିଲା ଅଦ୍ଭୁତ | ଏକ ଦିବ୍ୟ ଅନୁଭୁତି ନେଇ ସେଦିନ ଘରକୁ ଫେରିଲୁ | ଆଜି ବି ସେ କଥା ମନେ ପଡିଲେ ମନ ହୋଇଯାଏ ଭାବ ବିହ୍ବଳ..

1 comment:

  1. ସେ ପରା କାଳିଆ ଠାକୁର, ଯିଏ ସାନ ଭାଇ ହେଇକି ହେଉଛିନ୍ତି ବଡ଼ଠାକୁର, ତାଙ୍କର ଦାଣ୍ଡ ବି ବଡ଼ ଦାଣ୍ଡ, ତାଙ୍କର ଭୋଗ ବି ବଡ଼ ଭୋଗ, ସେ ପରା ସମସ୍ତଙ୍କର ଆପଣାର, ତାଙ୍କ ପାଖରେ ପରା ନାହିଁ କିଛି ବାଛବିଚାର, ଚନ୍ଦନ ତୁଳସୀ ବୋଳି ହୁଅନ୍ତି ସେ, ସେ ଚନ୍ଦନର ସ୍ୱାଦ କ'ଣ ଖରାପ ହେବ?

    ReplyDelete