Friday 20 February 2015

ଶ୍ରୀଜଗନ୍ନାଥ

ଦିନେ ଏମିତି ଅନ୍ୟମନସ୍କ ଭାବରେ ଟିଭି ରିମୋଟ ବଦଳଉ ବଦଳଉ ଅଟକିଗଲି ହଠାତ |  ଟିଭିରେ ଆସୁଥାଏ ଜଗନ୍ନାଥ ମନ୍ଦିର ର ଭିତର ବେଢା ର ଦୃଶ୍ୟ | ଭକ୍ତ ମାନଙ୍କର ଯିବା ଆସିବା ଲାଗି ରହିଥାଏ | କିଛି ପଣ୍ଡା ଛିଡାହୋଇ କଥା ହେଉଥାନ୍ତି | ମନେହେଲା କେହି ଯେମିତି ପୁରୀ ଶ୍ରୀମନ୍ଦିରର ପାଟ ଅଗଣାରୁ ତୋଳି ଆଣିଛି ଏ ଦୃଶ୍ୟ | କଥାବାର୍ତା, ଚାଲିଚଳଣ, ବେଶଭୁଷା ଆଉ ମନ୍ଦିରର ପରିବେଶ କୁ କେହି ଯେମିତି  ଅବିକଳ ଗୋଟାଇ ଆଣିଛି ନିଜ କ୍ୟାମେରାରେ | ଦେଖୁଦେଖୁ ପୁରା ଅଧ୍ୟାୟ ଟି ଦେଖିଦେଲି | କିନ୍ତୁ କାହାଣୀ କାହାକୁ ନେଇ ହୋଇଛି ତାହା ଟିକେ ବି ବୁଝା ପଡିଲା ନାହିଁ  | ଉତ୍କଂଠା ର ସହ ଅପେକ୍ଷା କରି ରହିଲି ପରଦିନର ଅଧ୍ୟାୟକୁ |

ତରଂଗ ଟିଭି ଦ୍ବାରା ପ୍ରଯୋଜିତ କଳା ଠାକୁରଙ୍କ ଉପରେ ଆଧାରିତ ମେଗା ସିରିଏଲ "ଶ୍ରୀଜଗନ୍ନାଥ" | ଜଗନ୍ନାଥଙ୍କର ଅନେକ ଜଣା ଆଉ ଅଜଣା ତଥ୍ୟ, କାହାଣୀକୁ ନେଇ ଏ ସିରିଏଲ | ଏ ଯୋଉ ଅଧ୍ୟାୟ ବାବଦରେ ମୁଁ ଲେଖୁଛି ତାହା ଗୀତ ଗୋବିନ୍ଦ ର ଲେଖକ କବି ଜୟଦେବଙ୍କ ଉପରେ ପର୍ଯ୍ୟବେଷିତ |


ଆଜିକାଲିର ଓଡିଆ ସିରିଏଲ କିମ୍ବା ଚଳଚିତ୍ର ଉପରେ କିଛି ନକହିବା ଭଲ | ଅନ୍ଧ ଭାବରେ ନକଲ କରାଯାଉଥିବା ସୃଜନଶୀଳତା ବିହିନ ଇଏ ଏକ ଶିଳ୍ପ ପରି ମନେହୁଏ | ଅଭିନୟ ଜାଗାରେ ଏଠି କଣ ଯେ ସବୁ ପ୍ରସ୍ତୁତ କରାହୁଏ, ତାହା କେବଳ ସେମାନଙ୍କୁ ଜଣା | ଏ ସିରିଏଲ ଟି ଅଚାନକ ମୋ ଦୃଷ୍ଟିକୋଣ  ବଦଳାଇ ଦେଲା | କାହାଣୀ, ସଂଳାପ, ଚରିତ୍ର, ସେଟ.. ସବୁଗୁଡିକୁ ଅତି ଗଭୀର ଭାବରେ ଅନୁଶୀଳନ କରାଯାଇଛି ଏ ସିରିଏଲ ଟି ପ୍ରସ୍ତୁତ କଲାବେଳେ | ଶ୍ରୀମନ୍ଦିର, ପାଟ ଅଗଣା, ରତ୍ନ ସିଂହାସନ, ଆଉ ରତ୍ନ ସିଂହାସନ ଉପରେ ଚତୁର୍ଧା ମୁର୍ତ୍ତୀ.. ସବୁ ଯେମିତି କାର୍ବନ କପି ଶ୍ରୀକ୍ଷେତ୍ର ର | ପଣ୍ଡା ମାନଙ୍କର ବ୍ୟବହାର, କଥାବାର୍ତ୍ତା, ବେଶଭୁଷା.. ଭକ୍ତ ର ମହା ପ୍ରଭୁଙ୍କ ଠାରେ ଥିବା ଅନାବିଳ ଶ୍ରଦ୍ଧା.. କୋଉଠି ଯେମିତି ଟିକେ ବି ଉଣା ହୋଇନି | ନା କମ.. ନା ଅତିରଂଜିତ | ନିଛକ ପ୍ରତିଛବି ଶ୍ରୀମନ୍ଦିର ପରିବେଶ ର | ଏତେ ସୁକ୍ଷ୍ମ ଭାବରେ ଅନୁଧ୍ୟାନ କରି ପ୍ରସ୍ତୁତ କରା ହୋଇଥିବା ସିରିଏଲ ଟିକୁ ଦେଖି ମନ କୁଣ୍ଡେମୋଟ ହୋଇଗଲା | ଗୋଟେ ଉଦାହରଣ ଦେଲେ ଯଥେଷ୍ଟ ହେବ ଏଠି | ସବାରୀ ରେ ଝିଅଟିଏ ଯିବାର ଦୃଶ୍ୟ | ସବାରୀଟି ଚିତ୍ରିତ ହୋଇଛି ଓଡିଆ ପାରମ୍ପରିକ ଚିତ୍ରକଳା ରେ | ତା ସହ ସବାରୀ ବାଲାଙ୍କ "ଧାକୁନ ଧାବଲ " ଗୀତ.. ନିଃସନ୍ଦେହ ଭାବରେ କୁହାଯାଇ ପାରିବ ଯେ ସେତେବେଳର ସମୟକୁ ଚିତ୍ରିତ କରିବାରେ ସଫଳ ହୋଇଛି ଏ ସିରିଏଲ ଟି |

କାହାଣୀ
------
ଜୟଦେବ, ପଦ୍ମାବତୀ, କେତକୀ.. ଏହି ତିନି ମୁଖ୍ୟ ଚରିତ୍ର କୁ ନେଇ ହୋଇଛି ଏ ଅଧ୍ୟାୟ | ଆଉ କିଛି ଚରିତ୍ର ଯେମିତି ବାଉଆଁ, ପରାଶର, ସାହୁକାର ଆଦିଙ୍କୁ ନେଇ ଗତିଶୀଳ ହୋଇଛି କାହାଣୀଟି | କହିବା ବାହୁଲ୍ୟ ଜଗନ୍ନାଥ ହିଁ ମୁଖ୍ୟ ନାୟକ ଏ କାହାଣୀ ରେ |

କେନ୍ଦୁଲି ଗାଁ ବ୍ରାହ୍ମଣ ଶାସନ ର ଛୁଆ ଗୋସେଇଁ ଆଉ ତାଙ୍କ ବାଲ୍ୟ ସଖୀ କେତକୀ | ଛୁଆ ଗୋସେଇଁ ରୁ କବି ଜୟଦେବ ହେବା ପଛରେ ରହିଛି ସଖୀର ଅନୁପ୍ରେରଣା | ବାଳକ ଜୟଦେବକୁ ଲେଖାଲେଖି ଦିଗରେ ପିଲାବେଳୁ ଅନୁପ୍ରେରିତ କରି ଆସିଛି ସଖୀ କେତକୀ | କିନ୍ତୁ ସାଂଗ ମାନଙ୍କ ପରିହାସ ସେ ଯାତ୍ରା ରେ ସୃଷ୍ଟି କରିଛି ଅବରୋଧ | କ୍ରମେ ସମୟ ଗଡି ଚାଲିଛି | ବାଳକ ଜୟଦେବ ହୋଇଛନ୍ତି ଯୁବକ |

ଦିନେ ଦକ୍ଷିଣ ର ଜଣେ ବ୍ରାହ୍ମଣ ନିଜ ପୂର୍ବ ସଂକଳ୍ପ ଅନୁଯାୟି ଆସନ୍ତି ଶ୍ରୀକ୍ଷେତ୍ର | ନିଃସନ୍ତାନ ଥିବା ଏହି ବ୍ରାହ୍ମଣ ସଂକଳ୍ପ କରିଥିଲେଯେ ନିଜ ପ୍ରଥମ ସନ୍ତାନକୁ ଜଗନ୍ନାଥଙ୍କୁ ଅର୍ପଣ କରିବେ | ତେଣୁ  ପୂର୍ବ ସଂକଳ୍ପ ଅନୁସାରେ ନିଜ ପ୍ରଥମ କନ୍ୟା ସନ୍ତାନ  ପଦ୍ମାବତୀଙ୍କୁ 17 ବର୍ଷ ହେଲା ପରେ ଅର୍ପଣ କରନ୍ତି ଜଗନ୍ନାଥଙ୍କ ନିକଟରେ | ଶ୍ରୀମନ୍ଦିର ର ନୀତି ସ୍ବତନ୍ତ୍ର | ଏଠି ମନ୍ଦିରରେ କୌଣସି ନାରୀ ଜଗନ୍ନାଥଙ୍କ ସେବା କରିବାର ପ୍ରଥା ନାହିଁ | ତେଣୁ ପଣ୍ଡାମାନେ କନ୍ୟା କୁ ଫେରେଇ ନେବାକୁ ଉପଦେଶ ଦିଅନ୍ତି | ବ୍ରାହ୍ମଣ କିନ୍ତୁ ନିର୍ବିକାର | ଜଗନ୍ନାଥଙ୍କ ସେବା ରେ ଲାଗି କରିବାକୁ ପଣ କରିଛନ୍ତି ଯେତେବେଳେ ସେ ଆଉ ନିଜ କନ୍ୟା କୁ ଫେରେଇ ନେଇ ପାରିବେ ନାହିଁ | ସମସ୍ୟା ର ସମାଧାନ ହେବ କେମିତି !! ଶେଷକୁ ଜଗନ୍ନାଥଙ୍କ ସ୍ବପ୍ନାଦେଶ ହୋଇଛି | ଏ କନ୍ୟାକୁ ତାଙ୍କ ପରମ ଭକ୍ତ ଜୟଦେବଙ୍କ ସହ  ବିବାହ ଦିଆଯାଉ | ଏ ଦୁଇ ଭକ୍ତଙ୍କ ଦ୍ବାରା ଭବିଷ୍ୟତରେ ଅନେକ କାର୍ଯ୍ୟ ସମ୍ପାଦିତ ହେବାର ଅଛି |

ଏମିତି ଭାବରେ କାହାଣୀ ଆଗକୁ ବଢ଼େ ଜୟଦେବଙ୍କ ମହାକାବ୍ୟ "ଗୀତ ଗୋବିନ୍ଦ" ଲେଖିବାକୁ କେନ୍ଦ୍ରିଭୁତ କରି |

|| ଜୟ ଜଗନ୍ନାଥ ||




3 comments:

  1. ଏହି କାର୍ଯ୍ୟକ୍ରମର ସମସ୍ତ ଅଧ୍ୟାୟ ଅତ୍ୟନ୍ତ ମନମୁଗ୍ଧକର, ମୁଁ ମଧ୍ୟ ଅନେକଥର ଦେଖିଛି, ଘରେ ନଥିବାବେଳେ ମଧ୍ୟ ୟୁଟ୍ୟୁବ୍‌ରୁ ଦେଖିଛି । ପରବର୍ତ୍ତୀ କାଞ୍ଚିଅଭିଯାନ, ପଞ୍ଚସଖା ମଧ୍ୟ ଖୁବ୍ ସୁନ୍ଦର ଭାବରେ ଦର୍ଶାଯାଇଛି ଏହି ନାଟକ ମାଧ୍ୟମରେ ।

    ReplyDelete
  2. ଖୁବ ସୁନ୍ଦର ବର୍ଣ୍ଣନା

    ReplyDelete