Friday 21 November 2014

କାଳିଆର ରଥଯାତ୍ରା - ଓଡ଼ିଆର ଜୟଯାତ୍ରା

ହାଇଦ୍ରାବାଦ । 03 ଜୁଲାଇ 2011 ରବିବାର । ଦିନ, ବାର, ସ୍ଥାନ.. ସବୁ କିଛି ମନେ ଅଛି । କିଛି ଅନୁଭୁତି ଅଭୁଲା ହୋଇ ରହି ଯାଇଥାଏ ଚିରଦିନ ପାଇଁ । ସମୟର ଆସ୍ତରଣ କେବେ ବି ତାକୁ କରି ପାରେନା ଧୂସରିତ ।

ମାତ୍ର କିଛି ଦିନ ପୁର୍ବରୁ ଆସିଥାଏ ହାଇଦ୍ରାବାଦ । ନୁଆ ସହର.. ଅଲଗା ଭାଷା, ଚଳଣି ଓ ସଂସ୍କୃତି । ଭାରି ଖାପଛଡା ଲାଗୁଥାଏ । ମନେ ପଡୁଥାଏ ନିଜ ରାଜ୍ୟ, ଲୋକ, ଭାଷା..ସବୁକିଛି । ଏମିତି ଏକ ମାନସିକ ଅବସ୍ଥା ଭିତରେ ଦିନେ ଶୁଣିଲି ହାଇଦ୍ରାବାଦର ଜଗନ୍ନାଥ ମନ୍ଦିର ଓ ଆସନ୍ତା ରଥଯାତ୍ରା ବାବଦରେ ।

ଜୁଲାଇ ମାସର ମେଘାଛନ୍ନ ଆକାଶ । ସକାଳୁ ଅସରାଏ ବର୍ଷା ହୋଇ ଗଲାଣି । କୋଣ୍ଡାପୁରରୁ ବସ୍ ରେ ବସିଲୁ । ଜଗନ୍ନାଥ ଟେମ୍ପଲ, ରୋଡ୍ ନମ୍ବର 12, ବନଜାରା ହିଲସ୍.. ଘୋଷିଥିଲା ପରି ଗାଇଗଲୁ କଣ୍ଡକ୍ଟରକୁ ଟିକେଟ ପାଇଁ ପଇସା ଦେଲା ବେଳେ । ମନ ଭିତରେ ଉତ୍କଣ୍ଠା.. କେମିତି ହୋଇଥିବ ସେ ମନ୍ଦିର, ପରିବେଶ । ଠିକ୍ ସମୟ ଭିତରେ ଆମେ ପହଞ୍ଚି ପାରିବୁ ତ! ରଥଟଣା କଣ ଆରମ୍ଭ ହୋଇ ଯାଇଥିବ! ଏମିତି କେତେ କଣ । ଝରକା ସେପାଖରେ ସହରର ଦୋକାନ ବଜାର । ସହରଟି ଉଠାଣି ଗଡାଣିରେ ଭରପୁର । ଗୁଡାଏ ଛୋଟ ବଡ ପାହାଡ ଉପରେ ବୋଧେ ଗଢି ଉଠିଛି ଏ ସହରଟି । ଦୁଇ କଡ ସାରା ଅନେକ ଗଛ ଓ ଭାରି ସଫା ସୁତୁରା ରାସ୍ତା । ପ୍ରଥମ ଥର ପାଇଁ ଭଲ ଲାଗିଲା ସହରଟି ।

ବସ୍ ପହଞ୍ଚିଲା ରୋଡ୍ ନମ୍ବର 12 ରେ । ଟିକେ ଆଗକୁ ଚାଲି ଚାଲି ଯିବା ଭିତରେ ଶୁଣାଗଲା କୋଳାହଳ । ଗଛ ଭିତରୁ ଦେଖାଗଲା ଏକ ମନ୍ଦିରର ଚୂଡ଼ା । ଆଉ ନାଲି ହଳଦୀ ରଙ୍ଗର ଫରଫର ହୋଇ ଉଡୁଥିବା ପତାକା ।



ଘଣ୍ଟ, ମୃଦଙ୍ଗ, ଖୋଳର ତାଳରେ ଚାଲୁଥାନ୍ତି ତିନି ରଥ । ରାସ୍ତାର ପ୍ରତି ବିଜୁଳି ଖୁଣ୍ଟରେ ଲାଗିଥାଏ ଗୋଟେ ଗୋଟେ ମାଇକ୍ । ଭାସି ଆସୁଥାଏ ଭିକାରୀ ବଳଙ୍କ ସ୍ୱର:
"ହରିବୋଲ ସଙ୍ଗେ ହୁଳହୁଳି
ଦିଅ ହୋ ଭକତେ,
ରଥ ଯାଉ ଗଡି.. ଭିଡ ତା ଦଉଡି
କାଳିଆ ଗୁଣ୍ଡିଚା ଯାତେ"
ଶହ ଶହ ଭକ୍ତଙ୍କ ଗହଣରେ ଚାଲିଥାଏ ତିନି ରଥ । ଆକାଶରୁ ଝରୁଥାଏ ଝିପିଝିପି ବର୍ଷା । ଆର ପଟ ରାସ୍ତାରେ ଯିବା ଆସିବା କରୁଥିବା ଯାନବାହାନ ଭିତରୁ ଲୋକମାନେ ବିସ୍ମିତ ହୋଇ ଦେଖୁଥାନ୍ତି ଏ ଦୃଶ୍ୟ । ମଝିରେ ମଝିରେ ଭକ୍ତଙ୍କ ଭିତରୁ  ଉଠୁଥାଏ 'ଜୟ ଜଗନ୍ନାଥ', 'ହରିବୋଲ' ର ଲହର ।

                                    *****

ଆମେ ସବୁବେଳେ ଅଭିଯୋଗ କରୁ ଓଡିଆଙ୍କ ସ୍ବାଭିମାନକୁ ନେଇ । ଓଡିଆମାନେ ବାହାରେ ନିଜକୁ ଓଡିଆ ବୋଲି କହିବାକୁ ଲାଜ କରନ୍ତି । ଓଡିଆ ଭାଷା, ସଂସ୍କୃତିକୁ ନେଇ ସେ ଗର୍ବ ଓଡିଆଙ୍କର ନାହିଁ । କେତେକାଂଶରେ ସତ ମଧ୍ୟ ଏ ଅଭିଯୋଗ । କିନ୍ତୁ ଯୋଉ ଜାତିର ଆରାଧ୍ୟ ଦେବତା ନିଜେ ଜଗନ୍ନାଥ, ସେଠି ଏମିତି ସନ୍ଦେହ ଅମୂଳକ । ରାଜ୍ୟ ବାହାରର ଯେକୌଣସି ସହରକୁ ଯାଅ, ଜଗନ୍ନାଥ ମନ୍ଦିରଟେ ନିଶ୍ଚୟ ଥିବ । ଦିଲ୍ଲୀ, କଲିକତା, ବମ୍ବେ, ଚେନ୍ନାଇ, ବାଙ୍ଗାଲୋର, ହାଇଦ୍ରାବାଦ.. ଓଡିଆଙ୍କ ପରିଚୟ ଜଗନ୍ନାଥଙ୍କ ବିନା ଅସମ୍ପୂର୍ଣ୍ଣ ।

ପ୍ରଥମ ଦିନ ମୋ ପରିଚୟ ଆମ ଟିମ୍ କୁ  ଦେଲାବେଳେ ମୋ ପ୍ରୋଜେକ୍ଟ ମ୍ୟାନେଜର ମୁକୁନ୍ଦ କହିଲେ, "ଏ ହେଉଛି ଆମ ନୁଆ ଟିମ୍ ମେଟ୍ ଯିଏ କାଲକାତାରୁ ଆସିଛନ୍ତି ।"
ମୁଁ କହିଲି, "କାଲକାତାରୁ ଆସିଛି, କିନ୍ତୁ ମୋ ଘର ଓଡିଶା ।"
ମୁକୁନ୍ଦଙ୍କର ପ୍ରଥମ ପ୍ରତିକ୍ରିୟା ଥିଲା, "ଓଡିଶା ! ମାନେ ଜଗନ୍ନାଥଙ୍କ ଭୂମି !!"

              ।। ଜୟ ଜଗନ୍ନାଥ ।।


*ଟିକେ କହିରଖେ ମୁକୁନ୍ଦ ହାଇଦ୍ରାବାଦି ନୁହନ୍ତି, ତାଙ୍କ ଘର ମହାରାଷ୍ଟ୍ର ଆଉ ସେ ଜଣେ ଇସ୍କନ ଭକ୍ତ :)

Wednesday 19 November 2014

ଚନ୍ଦନ ସ୍ପର୍ଶ

ଚନ୍ଦନ ଯାତ୍ରା ସମୟ । ଶ୍ରୀମନ୍ଦିରରେ ଲାଗି ରହିଥାଏ ଗହଳ ଚହଳ । ଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ମଦନ ମୋହନ ବିଜେ କରିବେ ସନ୍ଧ୍ୟାରେ ଆଜି ନରେନ୍ଦ୍ର ପୋଖରୀ ଅଭିମୁଖେ । 

ଆମେ ସ୍ୱାମୀ, ସ୍ତ୍ରୀ ଦୁଇ ପ୍ରାଣୀ ରାଜ୍ୟ ବାହାରେ ରହୁ । କେବେ ଓଡ଼ିଶା ଆସିବା ହେଲେ ଭୁବନେଶ୍ୱରରୁ ସିଧା ଯାଉ ପୁରୀ । ପୁରୀରେ ଜଗନ୍ନାଥ ଦର୍ଶନ ସାରି ଫେରି ଆସୁ ଭୁବନେଶ୍ୱର । ତା ପରେ ଯାଇ ନିଜ ଗାଁ  । କେବେ ଚନ୍ଦନ ଯାତ୍ରା ଦେଖି ନଥିଲି । ଇଚ୍ଛା ଥିଲେ ବି ପୁରୀରୁ ଆଜି ଫେରିବାକୁ ହେବ । କାଳିଆକୁ ଟିକେ ଦର୍ଶନ କରି ବାହାରି ଯିବାକୁ ହେବ ।



ସିଂହଦ୍ୱାର ପାଖରେ ଗୋଡ ହାତ ଧୋଇ ଚାଲିଲୁ ଭିତରକୁ । ଛୋଟ ପିଲାଟିଏ ସଳିତା ବିଡାଟେ ଧରି କହୁଥାଏ କିଣିବା ପାଇଁ । ଭିତରୁ ଆସିଲେ କିଣିବୁ କହି ଚାଲିଲୁ ଆମେ ଦୁହେଁ ବାଇଶି ପାହାଚ ଡେଇଁ ଡେଇଁ । ଏତେ ବାଟରୁ ଯାହାକୁ ଦେଖିବାକୁ ଧାଇଁ ଆସିଛୁ, ତାକୁ ଆଗେ ଦେଖିସାରୁ । କିଣାବିକା ତ ହେଉଥିବ ।

ମନ୍ଦିର ଭିତରେ ଭକ୍ତ ଗହଣରେ ଲୀଳା କରୁଥାଏ ସେ ଲୀଳାମୟ । ଗରୁଡ ସ୍ତମ୍ଭ ପାଖରେ ଛିଡାହୋଇ ଚକାଆଖିକୁ ହାତଯୋଡି ସ୍ମରଣ କଲାବେଳେ ଶୁଭିଲା ପବିତ୍ର ଗୀତଗୋବିନ୍ଦର ଛନ୍ଦ ।

"ପ୍ରଳୟ ପୟୋଧି ଜଳେ
ଧୃତବାନସୀ ବେଦମ୍,
ବିହିତ ବହିତ୍ର ଚରିତ୍ରମ୍ ଖେଦମ୍,
କେଶବ ଧୃତ ମୀନ ଶରୀର
ଜୟ ଜଗଦୀଶ ହରେ"

ସ୍ତ୍ରୀ ଲୋକ ଜଣେ । ବୟସ 45 /50 ଭିତରେ ହେବ । ଆଖି ବୁଜି ଭକ୍ତି ରସରେ ତଲ୍ଲୀନ ହୋଇ ପଡିଥାନ୍ତି । କଣ୍ଠରୁ ଭାସି ଆସୁଛି ଜୟଦେବଙ୍କ ସେ ଅନବଦ୍ୟ ସୃଷ୍ଟି ।  ଆମେ ବି ଭାସିଗଲୁ ସେ ଭାବରେ କିଛି କ୍ଷଣ । ଏମିତି ଏଇଠି ଦିନେ ସେ ଭାବଗ୍ରାହୀଙ୍କୁ ଦେଖି, ଦିନେ ରଚନା କରିଥିବେ ଜୟଦେବ ଏ କାବ୍ୟକୁ । ସେମିତି ଏଇଠି ବସି ଭାଗବତର ଭକ୍ତିଧାରାକୁ ଲେଖନୀ ମୁନରେ ଆଙ୍କିଥିବେ ଦିନେ, ଭକ୍ତ ଜଗନ୍ନାଥ ଦାସ ।

ପାରାଟିଏ ଚାନ୍ଦୁଆ ତଳ ଦେଇ ଉଡିଗଲା ଗମ୍ଭୀରା ଭିତରକୁ । ଭିଡ ବଢି ବଢି ଚାଲୁଥାଏ ମନ୍ଦିରରେ । ଦର୍ଶନ ସାରି ଆମେ ବାହାରି ଗଲୁ  ମଦନ ମୋହନ ମନ୍ଦିର ପଟେ । ବ୍ରାହ୍ମଣ ଜଣେ ବେତ ମାଡ କରୁଥାଏ ଛୋଟ ବେତଟିଏ ଧରି ।

ଚନ୍ଦନ ଯାତ୍ରା ପାଇଁ ପ୍ରସ୍ତୁତି ଚାଲିଥାଏ ବୋଧେ । ଛୋଟ ମନ୍ଦିର ଟେ ମଦନ ମୋହନଙ୍କର । ଚୁଆ, ଚନ୍ଦନ, କିଆ, କେତକୀର ବାସ୍ନାରେ ଅପୁର୍ବ ଲାଗୁଥାଏ ସେ ଭିତରର ବାତାବରଣ । ଦର୍ଶନ ସାରି ଆସିବା ପାଇଁ ବାହାରିଲା ବେଳେ ଧର୍ମପତ୍ନୀ  କହିଲେ, "ରୁହ, ତୁଳସୀ ପାଦୁକା ଟିକେ ପାଇବାନି !" ଭିତରେ କେହି ବ୍ରାହ୍ମଣ ନଥିଲେ ସେତେବେଳେ । ବାହାରେ ଥିବା ଜଣେ ବ୍ରାହ୍ମଣଙ୍କୁ ଯାଇ ତୁଳସୀ ମାଗିଲୁ ।  ସେ ହାତ ଦେଖାଇ ରହିବା ପାଇଁ କହିଲେ । ଭିତରକୁ ଯାଇ ଗୋଟେ ପାତ୍ରରୁ ଚନ୍ଦନ ତୁଳସୀ ମିଶା ପାଣି କାଢି ଆମ ହାତରେ ଦେଲେ ।  ଚନ୍ଦନ ପାଣି କଣ ହେବ ଯେ ! ମୁଣ୍ଡରେ ଲଗାଇବି ବୋଲି ଚିନ୍ତା କରୁଥିଲା ବେଳେ ସେ ଇସାରାରେ କହିଲେ ପିଇବା ପାଇଁ । କେମିତି ଏକ ଅବିଶ୍ୱାସ ଭରା ମନରେ ଏକାଥରେ ପିଇଦେଲି ।

ଜୀବନରେ ୟା ଠୁ ଭଲ କିଛି କେବେ ଚାଖିନି । କି ସ୍ୱାଦ ସେ ! ମନ ପ୍ରାଣ ଏକ ଅପୁର୍ବ ଶୀତଳତାରେ ଚହଲି ଗଲା । ପରମ ତୃପ୍ତି ବୋଧେ ୟାକୁ ହିଁ କୁହନ୍ତି । ସେ ଅନୁଭୁତି ମୁଁ ଭାଷାରେ ଲେଖି ପାରିବି ନାହିଁ । ଆଜି ବି ସେ ଅନୁଭୁତି ବାଣ୍ଟିଲା ବେଳେ ମନରେ ଖେଳି ଯାଉଛି ଏକ ଅପୂର୍ବ ଶିହରଣ । ପବିତ୍ର ହୋଇ ଯାଉଛି ମନ ଓ ଶରୀର । ଜଗନ୍ନାଥମୟ ହୋଇ ଯାଉଛି ଏ ଦୁନିଆ ।

ଧନ୍ୟ ତୁମେ ମହାପ୍ରଭୁ, ଧନ୍ୟ ତୁମ ଲୀଳା ।


ପୁରୀରେ ଅନେକ ଖଟା ମିଠା ଅନୁଭୁତି ଅଛି | ଅନେକ ସମୟରେ ବ୍ରାହ୍ମଣ ମାନେ ଖରାପ ବ୍ୟବହାର ମଧ୍ୟ ଦେଖାଇଛନ୍ତି | କିନ୍ତୁ ସେ ଦିନର ଅନୁଭୁତି ଥିଲା ସ୍ବତନ୍ତ୍ର | ସେ ଚନ୍ଦନର ସ୍ପର୍ଶ ଥିଲା ଅଦ୍ଭୁତ | ଏକ ଦିବ୍ୟ ଅନୁଭୁତି ନେଇ ସେଦିନ ଘରକୁ ଫେରିଲୁ | ଆଜି ବି ସେ କଥା ମନେ ପଡିଲେ ମନ ହୋଇଯାଏ ଭାବ ବିହ୍ବଳ..

Monday 17 November 2014

ଭାବର ଠାକୁର

ଜଗନ୍ନାଥଙ୍କ ସହ କାହିଁ କେତେ ଯେ ବିଚିତ୍ର ଅନୁଭୁତି । ହଁ ବିଚିତ୍ର । ତାକୁ ଅଲୌକିକ କି ଚମତ୍କାର ବୋଲି କହି ହେବନି । ଏ ଜଡ ଭୌତିକ ଦୁନିଆରେ ମ୍ୟାଜିକ (ଚମତ୍କାର) ବୋଲି କିଛି ଅଛି ବୋଲି ମୁଁ ମାନେନା । କିଛି ବିଚିତ୍ରତା ନିଶ୍ଚୟ ଅଛି ।

ମେ ମାସର ଏକ ସକାଳ ।

ସେଦିନ ଶ୍ରୀମନ୍ଦିର ଥିଲା ଚଳଚଞ୍ଚଳ । ଉତ୍ତର ପଟେ ଥିବା ଅଶ୍ୱ ଦ୍ୱାର ନିକଟରେ ଜୋତା, ମୋବାଇଲ ଆଦି ରଖି ଗୋଡ ଧୋଇଲୁ । କାଳିଆ ଠାକୁରଙ୍କ ଉଦ୍ଦେଶ୍ୟରେ ହାତ ଟେକି ନମସ୍କାର କରି ଚାଲିଲୁ ଭିତରକୁ । କିଛି ପୋଲିସ ସିକ୍ୟୁରିଟି ଚେକ୍ କରୁଥାନ୍ତି । ପାଖରେ ଥାନ୍ତି କଳା ଠାକୁରଙ୍କ ଦ୍ୱାର ରକ୍ଷକ ଜୟ, ବିଜୟ । ବିଶାଳ ଚେହେରା । କୋଉଠି ପଢିଥିଲି ଯେ ମହାପ୍ରସାଦ ପ୍ରଥମେ ଜୟ ବିଜୟଙ୍କୁ ଦିଆଗଲା ପରେ ଯାଇ ମହାପ୍ରଭୁଙ୍କୁ ଲାଗି ହୁଏ । ସେବକ ପାଇଁ ପ୍ରଭୁଙ୍କ କେତେ ଆଦର ସତେ ।



ଅବଢା ପ୍ରସ୍ତୁତି ପାଇଁ ସେବକ ମାନେ ଲାଗି ପଡିଲେଣି । ବଡ଼ ବଡ଼ ବେତାରେ ଦେଶୀ ପରିବା ଆଦି ବୁହା ଚାଲୁଥାଏ । କେହି ସାରୁ, ମାଟିଆଳୁ, କଖାରୁ ନେଉଥାନ୍ତି ତ କେହି ନେଉଥାନ୍ତି ମାଟି କୁଡ଼ୁଆ । କିଏ ତାଳ ପତ୍ରରେ ତିଆରି ଡାଲା ସବୁ ମୁଣ୍ଡାଇ ନେଉଥାଏ ତ କିଏ ନେଉଥାଏ ଅନ୍ୟାନ୍ୟ ପରିବା । ଆହା.. କେଡ଼େ ବଡ ଭାଗ୍ୟ ସତେ ଏମାନଙ୍କର । ଖଟିବ ତ ବଡ଼ ସାଆନ୍ତଙ୍କ ପାଇଁ ।

ପାହାଚ ଚଢି ଆମେ ଚାଲିଲୁ ଉପରକୁ । କଳ୍ପବଟ ପାଖରେ ବଟ ଗଣେଶଙ୍କୁ ମୁଣ୍ଡିଆଟେ ପକାଇ ତରତର ହୋଇ ଗଲାବେଳେ ଭିତର ବେଢାରେ ଫୁଲ, ତୁଳସୀ ବିକୁଥିବା ଲୋକଟି କହିଲା - "ମନ୍ଦିର ଯାଉଛ, ତୁଳସୀ ମାଳଟେ ଜଗାକୁ ଚଢେଇବନି?" ମନ୍ଦିର ଭିତରେ ଫୁଲ, ଭୋଗ ଆଦି ବିକୁଥିବା ଲୋକଙ୍କୁ ମୁଁ ସବୁବେଳେ ଆଭଏଡ୍ କରେ । କିନ୍ତୁ ପତ୍ନୀଙ୍କ କଥା ଭାଙ୍ଗି ପାରିଲିନି । ତୁଳସୀ ମାଳଟିଏ କିଣି ଭିତରକୁ ଗଲୁ । କଣ ଯେ ଏସବୁରେ ଥାଏ ! ଭଗବାନ କଣ କହୁଛନ୍ତି ମୋତେ ଏଟା ଦେ ମୋତେ ସେଟା ଦେ !! ସବୁ ବେପାର କରିବାର ଗୋଟେ ଗୋଟେ ଫନ୍ଦି । ମନେ ମନେ ଟିକେ ବିରକ୍ତ ହେଲି ।

ତୁଳସୀ ମାଳଟା କିନ୍ତୁ ବହୁତ ସୁନ୍ଦର ହୋଇଥାଏ । ଦୁଇ ତିନି ହାତ ଲମ୍ବରୁ ବେଶୀ ହେବ ବୋଧେ କିନ୍ତୁ କମ ହେବନି । ଛୋଟ ଛୁଆଙ୍କୁ ନିଜର ପ୍ରିୟ ଖେଳଣା ମିଳିଗଲା ପରି ଏକ ଖୁସିର ଲହର ଖେଳିଗଲା ପତ୍ନୀଙ୍କ ମୁହଁରେ । ଆଉ ସେ ମୁହଁକୁ ଦେଖି ମୋ ମୁହଁରେ ।

ମନ୍ଦିର ନୀତି ବାବଦରେ ବେଶୀ କିଛି ଜ୍ଞାନ ନାହିଁ ମୋର । ବୋଧହୁଏ ଅବକାଶ ନୀତି ସରି ଆଉ ଗୋଟେ ବେଶ ପ୍ରଭୁଙ୍କର ହେବ କି କଣ ! ପିନ୍ଧା ଫୁଲମାଳ ସବୁ କଢା ହୋଉଥାଏ । ଗୋଟେ ଗାଢ଼ ସବୁଜ ରଂଗର ପାଟ ଶାଢୀଟିଏ ପିନ୍ଧା ଯାଉଥାଏ । ଅତି ସନ୍ତର୍ପଣରେ ବଢ଼ାଇ ଦେଲୁ ତୁଳସୀ ମାଳଟି ନନାଙ୍କ ହାତକୁ । ଦକ୍ଷିଣା ପାଇଁ ବି ସେ କିଛି ଜିଦି କଲେନି । ଯାହା ଦେଲୁ ନେଇ ରତ୍ନବେଦି ପାଖକୁ ଚାଲିଗଲେ । ଆମେ ଟିକେ ପଛକୁ ଆସି ଚାହିଁ ରହିଲୁ ଆମ ତୁଳସୀ ମାଳକୁ ।

ରତ୍ନବେଦିରେ ତିନି ଠାକୁରଙ୍କୁ ବେଶ କରୁଥାନ୍ତି ତିନି ସେବକ । ଯୋଗକୁ ଆମ ମାଳଟି ନନା ନେଇ ବଢେଇ ଦେଲେ ଜଗନ୍ନାଥଙ୍କୁ ବେଶ କରୁଥିବା ବ୍ରାହ୍ମଣଙ୍କ ହାତକୁ । ମନ ଭିତରେ ଆମର ଖେଳିଗଲା ଏକ ଅପୁର୍ବ ଉନ୍ମାଦନା । ଆମେ ଅର୍ପଣ କରିଥିବା ତୁଳସୀ ମାଳଟି ଆଜି ଜଗନ୍ନାଥଙ୍କୁ ଲାଗି କରାଗଲା । ମହାବାହୁଙ୍କ ଦୁଇ ଭୁଜା ମଧ୍ୟରେ ଝୁଲୁଥାଏ ସେ ମାଳ । ମନ ଭିତରଟା କେମିତି ଟିକେ କୋହରେ ଭାରୀ ଭାରୀ ହୋଇଗଲା । ଆଖି ଦୁଇଟି ଓଦା ଓଦା । ଛାତି ଭିତରେ ଅଜଣା ପୁଲକ ।

ଦେଖିବାକୁ ଗଲେ ଏ ଗୋଟେ ନିହାତି ଛୋଟ ଘଟଣା । ସମୟର ତାଳମେଳ । ପ୍ରତିଦିନ ନାନା ପ୍ରକାରର ବେଶ ହୁଅନ୍ତି ମହାପ୍ରଭୁ । କେତେ ଭକ୍ତ କେତେ ଶରଧାରେ ଦିଅନ୍ତି କେତେ ଯେ ଭୋଗ, ଦୀପ, ଫୁଲ, ମାଳ । କିନ୍ତୁ କାଳିଆ ଠାକୁରଙ୍କ କଥା ନିଆରା । ଭାବର ଠାକୁର ସେ । ସେ ଭାବ ଥରେ ଲାଗିଗଲେ, ଏମିତି ଛୋଟ ଛୋଟ ଘଟଣା ବି ଲାଗେ ଦିବ୍ୟ ସୁନ୍ଦର । ସେ ପ୍ରେମରେ ପଡି କାହିଁ କେତେ ପାଗଳ । ସେ ମାନସିକ ତୃପ୍ତି ଭାଷାରେ କହି ହେବନି । ଚକା ନୟନକୁ ଥରେ ଚାହିଁ ଦେଲେ ସବୁ ଭୁଲିଯାଏ ଏ ମନ ।

ଭାବ ଗଦଗଦ ହୋଇ ମନ୍ଦିରରୁ ଫେରିଲୁ ସେଦିନ । ସେ ଅଭୁଲା ସ୍ମୃତି ମନେ ପଡିଲେ ଆଜି ବି ଦେହରେ ଖେଳିଯାଏ ଏକ ଶିହରଣ..

Sunday 16 November 2014

ପୁଣି ଜଗନ୍ନାଥ

ଅନେକ ଦିନ ପରେ ପୁଣି ଲେଖିବାକୁ ମନ ହେଲା । ଏହା ଭିତରେ ବିତି ଗଲାଣି ଅନେକ ବର୍ଷ । କେତେ ଯେ ଶୀତ, ବସନ୍ତ ଆଉ ବୈଶାଖ । ଅନେକ ପରିବର୍ତ୍ତନ । ଛାଡ.. ତେବେ ଆରମ୍ଭ କରିବି କଣ ଓ କୋଉଠୁ ?

ଥରେ କୋଉଠି ପଢିଥିଲି ଜଣେ ଲେଖକଙ୍କୁ  - "ମୁଁ ଏଇଥି ପାଇଁ ଲେଖେ ଯେ କେବେ ପରେ ନିଜେ ପଢି ପାରିବି" ।

ଚାଲ..  ଆଜି ମୁଁ ବି ସେମିତି ଲେଖିବି । କେତେବେଳେ ନିରୋଳା ସମୟରେ ଯେମିତି ନିଜେ ନିଜକୁ ପଢ଼ି ପାରିବି ।

 ***
 
ଓଡ଼ିଆ ଜାତି ଜଗନ୍ନାଥଙ୍କୁ ଛାଡି ଅସମ୍ପୂର୍ଣ୍ଣ । ଓଡିଆ ସାହିତ୍ୟରେ କୋଉଠି ନା କୋଉଠି ଲେଖକ ଜଗନ୍ନାଥଙ୍କୁ ଆଣି ଥୋଇଥିବ । ଏ ଜାତିର ପରିଚୟ କଳା ଠାକୁରଙ୍କ ବିନା ଅଧା । ଆଜି ଶ୍ରୀଗଣେଶ ସେହି କାଳିଆ ଠାକୁରଙ୍କୁ ନେଇ..



ହଠାତ୍ ଦିନେ ମନ ହେଲା ଟିକେ କାଳିଆ ଠାକୁରକୁ ଯାଇ ଦେଖିବାକୁ । ବାହାରି ଗଲୁ ସ୍ୱାମୀ, ସ୍ତ୍ରୀ ଦୁହେଁ ପୁରୀ ଅଭିମୁଖେ । ବଡ ଦେଉଳରେ ସେଦିନ ବେଶୀ କିଛି ଭିଡ ନଥାଏ । ଗରୁଡ ସ୍ତମ୍ଭ ପାଖରେ ଛିଡା ହୋଇ କାଳିଆକୁ ଦେଖିଲୁ । ମନ ବୁଝିଲାନି । ଆଗକୁ ଯାଇ ହୁଣ୍ଡି ପାଖରେ ଛିଡା ହେଲୁ । କଳା ଠାକୁରକୁ ଅପଲକ ନୟନରେ ଚାହିଁ ରହିଲୁ । କେତେବେଳେ ଯେ ଆଖି ଦୁଇ ଓଦା ହୋଇ ଗଲା, ଜଣା ପଡିଲାନି । ଦୁଇ ବାହୁ ମେଲି ବଡ ବଡ ଆଖିରେ ସେ ବି ଚାହୁଁଥିଲା ଆମକୁ । କେମିତି ଏକ ସମ୍ମୋହନରେ ପଡି ଯାଉଥିଲା ଏ ମନ । ଏ କି ମାୟା ମହାବାହୁ ! ଏ କି କୁହୁକ ! କେବେ ବି ମୋ ଜୀବନ କାଳରେ ଏମିତି ଅନୁଭୁତି କେବେ ବି ହୋଇ ନଥିଲା । କେଉଁ ଏକ ମହାଶୁନ୍ୟରେ ମିଶି ଯାଉଥିଲା ଏ ମନ । ଏ ବିରାଟ ବିଶ୍ୱରେ ଯେମିତି ମୁଁ ଭାସି ଯାଉଥିଲି ଏକ ନାବିକ ଶୁନ୍ୟ ବୋଇତ ପରି । କିଛି ସମୟ ଏମିତି ବିତିଗଲା । ଟିକେ ପ୍ରକୃତିସ୍ଥ ହୋଇ କଡକୁ ଚାହିଁଲି । ପାଖରେ ଠିଆ ହୋଇଥିଲେ ପତ୍ନୀ ମୋର । ଆଖି ଦୁଇରୁ ତାଙ୍କର ବି ବୋହି ଯାଉଥିଲା ଲୁହ ।

ଲୁହ ପୋଛି ଚାରି ଆଡକୁ ଚାହିଁଲି । କିଏ ହାତ ଦୁଇ ଉପରକୁ ଟେକି ଜଗନ୍ନାଥ ସ୍ୱାମୀ କହୁଥାଏ ତ କିଏ ଗରୁଡ ପାଖରେ ଛିଡା ହୋଇ ଘିଅ ଦୀପଟିଏ ବୁଲୋଉ ଥାଏ । କିଏ ଲମ୍ବ ହୋଇ ପ୍ରଣିପାତ କରୁଥାଏ ତ କିଏ ଜଣାଣ ଗାଉଥାଏ । ପଣ୍ଡାମାନେ ଚିରାଚରିତ ଢଙ୍ଗରେ ପାଦୁକ ତୁଳସୀ ବଢେଇ ଦେଇ ଆଶା କରୁଥାନ୍ତି ଦକ୍ଷିଣା । କିଏ କେତେ ଦୁଃଖ ଅଜାଡି ଦେଉଥାଏ ସେ କାଳିଆ ସାଆନ୍ତ ଆଗରେ । କିଏ ପୁଣି ସବୁ କୁଶଳ ମଙ୍ଗଳରେ ଚାଲିଥାଉ ବୋଲି ଗୁହାରି କରୁଥାଏ ।

ସେ କିନ୍ତୁ ଥାଏ ଅବିଚଳ । ରଙ୍ଗା ଅଧରରୁ ବୁଣି ଚାଲିଥାଏ ମାଦକତା ଭରା ହସ । ପୁନେଇ ଜହ୍ନ ପରି ଶାନ୍ତ ଶୀତଳ ସେ ହସ ହସ ମୁହଁ । ଯେତେବେଳେ ପାଖରେ ଜଣେ ମୁରବୀ ଥାଏ, ଆମେ ସବୁ କିଛି ତା ଉପରେ ଛାଡିଦେଇ କୁନି ଶିଶୁ ପରି ମାତିଯାଉ ଏ ସଂସାର ଖେଳରେ । ଅସୁବିଧାରେ ପଡିଲେ, ତା ପାଖରେ ଆସି ଅଳି ଅଝଟ କରୁ । ସେ ବୁଝେ କି ବୁଝେନା, ଆମେ ଜାଣୁନା । ଆମେ କିନ୍ତୁ ବୁଝିଯାଉ । ସୁଖ ଦୁଃଖ ତ ତୋ ଲୀଳାଖେଳା । ତୁ ଏବେ ବୁଝୁ..

ସେ କିନ୍ତୁ ଚାହିଁ ଥାଏ ସେମିତି ବଡ ବଡ ଆଖିରେ । ମନ୍ଦ ମନ୍ଦ ହସ ଝରୁଥାଏ ଅଧରରୁ..