Monday 17 November 2014

ଭାବର ଠାକୁର

ଜଗନ୍ନାଥଙ୍କ ସହ କାହିଁ କେତେ ଯେ ବିଚିତ୍ର ଅନୁଭୁତି । ହଁ ବିଚିତ୍ର । ତାକୁ ଅଲୌକିକ କି ଚମତ୍କାର ବୋଲି କହି ହେବନି । ଏ ଜଡ ଭୌତିକ ଦୁନିଆରେ ମ୍ୟାଜିକ (ଚମତ୍କାର) ବୋଲି କିଛି ଅଛି ବୋଲି ମୁଁ ମାନେନା । କିଛି ବିଚିତ୍ରତା ନିଶ୍ଚୟ ଅଛି ।

ମେ ମାସର ଏକ ସକାଳ ।

ସେଦିନ ଶ୍ରୀମନ୍ଦିର ଥିଲା ଚଳଚଞ୍ଚଳ । ଉତ୍ତର ପଟେ ଥିବା ଅଶ୍ୱ ଦ୍ୱାର ନିକଟରେ ଜୋତା, ମୋବାଇଲ ଆଦି ରଖି ଗୋଡ ଧୋଇଲୁ । କାଳିଆ ଠାକୁରଙ୍କ ଉଦ୍ଦେଶ୍ୟରେ ହାତ ଟେକି ନମସ୍କାର କରି ଚାଲିଲୁ ଭିତରକୁ । କିଛି ପୋଲିସ ସିକ୍ୟୁରିଟି ଚେକ୍ କରୁଥାନ୍ତି । ପାଖରେ ଥାନ୍ତି କଳା ଠାକୁରଙ୍କ ଦ୍ୱାର ରକ୍ଷକ ଜୟ, ବିଜୟ । ବିଶାଳ ଚେହେରା । କୋଉଠି ପଢିଥିଲି ଯେ ମହାପ୍ରସାଦ ପ୍ରଥମେ ଜୟ ବିଜୟଙ୍କୁ ଦିଆଗଲା ପରେ ଯାଇ ମହାପ୍ରଭୁଙ୍କୁ ଲାଗି ହୁଏ । ସେବକ ପାଇଁ ପ୍ରଭୁଙ୍କ କେତେ ଆଦର ସତେ ।



ଅବଢା ପ୍ରସ୍ତୁତି ପାଇଁ ସେବକ ମାନେ ଲାଗି ପଡିଲେଣି । ବଡ଼ ବଡ଼ ବେତାରେ ଦେଶୀ ପରିବା ଆଦି ବୁହା ଚାଲୁଥାଏ । କେହି ସାରୁ, ମାଟିଆଳୁ, କଖାରୁ ନେଉଥାନ୍ତି ତ କେହି ନେଉଥାନ୍ତି ମାଟି କୁଡ଼ୁଆ । କିଏ ତାଳ ପତ୍ରରେ ତିଆରି ଡାଲା ସବୁ ମୁଣ୍ଡାଇ ନେଉଥାଏ ତ କିଏ ନେଉଥାଏ ଅନ୍ୟାନ୍ୟ ପରିବା । ଆହା.. କେଡ଼େ ବଡ ଭାଗ୍ୟ ସତେ ଏମାନଙ୍କର । ଖଟିବ ତ ବଡ଼ ସାଆନ୍ତଙ୍କ ପାଇଁ ।

ପାହାଚ ଚଢି ଆମେ ଚାଲିଲୁ ଉପରକୁ । କଳ୍ପବଟ ପାଖରେ ବଟ ଗଣେଶଙ୍କୁ ମୁଣ୍ଡିଆଟେ ପକାଇ ତରତର ହୋଇ ଗଲାବେଳେ ଭିତର ବେଢାରେ ଫୁଲ, ତୁଳସୀ ବିକୁଥିବା ଲୋକଟି କହିଲା - "ମନ୍ଦିର ଯାଉଛ, ତୁଳସୀ ମାଳଟେ ଜଗାକୁ ଚଢେଇବନି?" ମନ୍ଦିର ଭିତରେ ଫୁଲ, ଭୋଗ ଆଦି ବିକୁଥିବା ଲୋକଙ୍କୁ ମୁଁ ସବୁବେଳେ ଆଭଏଡ୍ କରେ । କିନ୍ତୁ ପତ୍ନୀଙ୍କ କଥା ଭାଙ୍ଗି ପାରିଲିନି । ତୁଳସୀ ମାଳଟିଏ କିଣି ଭିତରକୁ ଗଲୁ । କଣ ଯେ ଏସବୁରେ ଥାଏ ! ଭଗବାନ କଣ କହୁଛନ୍ତି ମୋତେ ଏଟା ଦେ ମୋତେ ସେଟା ଦେ !! ସବୁ ବେପାର କରିବାର ଗୋଟେ ଗୋଟେ ଫନ୍ଦି । ମନେ ମନେ ଟିକେ ବିରକ୍ତ ହେଲି ।

ତୁଳସୀ ମାଳଟା କିନ୍ତୁ ବହୁତ ସୁନ୍ଦର ହୋଇଥାଏ । ଦୁଇ ତିନି ହାତ ଲମ୍ବରୁ ବେଶୀ ହେବ ବୋଧେ କିନ୍ତୁ କମ ହେବନି । ଛୋଟ ଛୁଆଙ୍କୁ ନିଜର ପ୍ରିୟ ଖେଳଣା ମିଳିଗଲା ପରି ଏକ ଖୁସିର ଲହର ଖେଳିଗଲା ପତ୍ନୀଙ୍କ ମୁହଁରେ । ଆଉ ସେ ମୁହଁକୁ ଦେଖି ମୋ ମୁହଁରେ ।

ମନ୍ଦିର ନୀତି ବାବଦରେ ବେଶୀ କିଛି ଜ୍ଞାନ ନାହିଁ ମୋର । ବୋଧହୁଏ ଅବକାଶ ନୀତି ସରି ଆଉ ଗୋଟେ ବେଶ ପ୍ରଭୁଙ୍କର ହେବ କି କଣ ! ପିନ୍ଧା ଫୁଲମାଳ ସବୁ କଢା ହୋଉଥାଏ । ଗୋଟେ ଗାଢ଼ ସବୁଜ ରଂଗର ପାଟ ଶାଢୀଟିଏ ପିନ୍ଧା ଯାଉଥାଏ । ଅତି ସନ୍ତର୍ପଣରେ ବଢ଼ାଇ ଦେଲୁ ତୁଳସୀ ମାଳଟି ନନାଙ୍କ ହାତକୁ । ଦକ୍ଷିଣା ପାଇଁ ବି ସେ କିଛି ଜିଦି କଲେନି । ଯାହା ଦେଲୁ ନେଇ ରତ୍ନବେଦି ପାଖକୁ ଚାଲିଗଲେ । ଆମେ ଟିକେ ପଛକୁ ଆସି ଚାହିଁ ରହିଲୁ ଆମ ତୁଳସୀ ମାଳକୁ ।

ରତ୍ନବେଦିରେ ତିନି ଠାକୁରଙ୍କୁ ବେଶ କରୁଥାନ୍ତି ତିନି ସେବକ । ଯୋଗକୁ ଆମ ମାଳଟି ନନା ନେଇ ବଢେଇ ଦେଲେ ଜଗନ୍ନାଥଙ୍କୁ ବେଶ କରୁଥିବା ବ୍ରାହ୍ମଣଙ୍କ ହାତକୁ । ମନ ଭିତରେ ଆମର ଖେଳିଗଲା ଏକ ଅପୁର୍ବ ଉନ୍ମାଦନା । ଆମେ ଅର୍ପଣ କରିଥିବା ତୁଳସୀ ମାଳଟି ଆଜି ଜଗନ୍ନାଥଙ୍କୁ ଲାଗି କରାଗଲା । ମହାବାହୁଙ୍କ ଦୁଇ ଭୁଜା ମଧ୍ୟରେ ଝୁଲୁଥାଏ ସେ ମାଳ । ମନ ଭିତରଟା କେମିତି ଟିକେ କୋହରେ ଭାରୀ ଭାରୀ ହୋଇଗଲା । ଆଖି ଦୁଇଟି ଓଦା ଓଦା । ଛାତି ଭିତରେ ଅଜଣା ପୁଲକ ।

ଦେଖିବାକୁ ଗଲେ ଏ ଗୋଟେ ନିହାତି ଛୋଟ ଘଟଣା । ସମୟର ତାଳମେଳ । ପ୍ରତିଦିନ ନାନା ପ୍ରକାରର ବେଶ ହୁଅନ୍ତି ମହାପ୍ରଭୁ । କେତେ ଭକ୍ତ କେତେ ଶରଧାରେ ଦିଅନ୍ତି କେତେ ଯେ ଭୋଗ, ଦୀପ, ଫୁଲ, ମାଳ । କିନ୍ତୁ କାଳିଆ ଠାକୁରଙ୍କ କଥା ନିଆରା । ଭାବର ଠାକୁର ସେ । ସେ ଭାବ ଥରେ ଲାଗିଗଲେ, ଏମିତି ଛୋଟ ଛୋଟ ଘଟଣା ବି ଲାଗେ ଦିବ୍ୟ ସୁନ୍ଦର । ସେ ପ୍ରେମରେ ପଡି କାହିଁ କେତେ ପାଗଳ । ସେ ମାନସିକ ତୃପ୍ତି ଭାଷାରେ କହି ହେବନି । ଚକା ନୟନକୁ ଥରେ ଚାହିଁ ଦେଲେ ସବୁ ଭୁଲିଯାଏ ଏ ମନ ।

ଭାବ ଗଦଗଦ ହୋଇ ମନ୍ଦିରରୁ ଫେରିଲୁ ସେଦିନ । ସେ ଅଭୁଲା ସ୍ମୃତି ମନେ ପଡିଲେ ଆଜି ବି ଦେହରେ ଖେଳିଯାଏ ଏକ ଶିହରଣ..

1 comment:

  1. ଆପଣଙ୍କର ଭାଗ୍ୟରେ ଥିଲେ ସେଦିନ ଆପଣଙ୍କ ପ୍ରଦତ୍ତ ତୁଳସୀମାଳ ମହାପ୍ରଭୁଙ୍କୁ ଲାଗିହେବ । କରିକାରାଉ ଥାଏ ସେହି, ତା' ବିନୁ ଅନ୍ୟଗତି ନାହିଁ ।

    ReplyDelete