Sunday 16 November 2014

ପୁଣି ଜଗନ୍ନାଥ

ଅନେକ ଦିନ ପରେ ପୁଣି ଲେଖିବାକୁ ମନ ହେଲା । ଏହା ଭିତରେ ବିତି ଗଲାଣି ଅନେକ ବର୍ଷ । କେତେ ଯେ ଶୀତ, ବସନ୍ତ ଆଉ ବୈଶାଖ । ଅନେକ ପରିବର୍ତ୍ତନ । ଛାଡ.. ତେବେ ଆରମ୍ଭ କରିବି କଣ ଓ କୋଉଠୁ ?

ଥରେ କୋଉଠି ପଢିଥିଲି ଜଣେ ଲେଖକଙ୍କୁ  - "ମୁଁ ଏଇଥି ପାଇଁ ଲେଖେ ଯେ କେବେ ପରେ ନିଜେ ପଢି ପାରିବି" ।

ଚାଲ..  ଆଜି ମୁଁ ବି ସେମିତି ଲେଖିବି । କେତେବେଳେ ନିରୋଳା ସମୟରେ ଯେମିତି ନିଜେ ନିଜକୁ ପଢ଼ି ପାରିବି ।

 ***
 
ଓଡ଼ିଆ ଜାତି ଜଗନ୍ନାଥଙ୍କୁ ଛାଡି ଅସମ୍ପୂର୍ଣ୍ଣ । ଓଡିଆ ସାହିତ୍ୟରେ କୋଉଠି ନା କୋଉଠି ଲେଖକ ଜଗନ୍ନାଥଙ୍କୁ ଆଣି ଥୋଇଥିବ । ଏ ଜାତିର ପରିଚୟ କଳା ଠାକୁରଙ୍କ ବିନା ଅଧା । ଆଜି ଶ୍ରୀଗଣେଶ ସେହି କାଳିଆ ଠାକୁରଙ୍କୁ ନେଇ..



ହଠାତ୍ ଦିନେ ମନ ହେଲା ଟିକେ କାଳିଆ ଠାକୁରକୁ ଯାଇ ଦେଖିବାକୁ । ବାହାରି ଗଲୁ ସ୍ୱାମୀ, ସ୍ତ୍ରୀ ଦୁହେଁ ପୁରୀ ଅଭିମୁଖେ । ବଡ ଦେଉଳରେ ସେଦିନ ବେଶୀ କିଛି ଭିଡ ନଥାଏ । ଗରୁଡ ସ୍ତମ୍ଭ ପାଖରେ ଛିଡା ହୋଇ କାଳିଆକୁ ଦେଖିଲୁ । ମନ ବୁଝିଲାନି । ଆଗକୁ ଯାଇ ହୁଣ୍ଡି ପାଖରେ ଛିଡା ହେଲୁ । କଳା ଠାକୁରକୁ ଅପଲକ ନୟନରେ ଚାହିଁ ରହିଲୁ । କେତେବେଳେ ଯେ ଆଖି ଦୁଇ ଓଦା ହୋଇ ଗଲା, ଜଣା ପଡିଲାନି । ଦୁଇ ବାହୁ ମେଲି ବଡ ବଡ ଆଖିରେ ସେ ବି ଚାହୁଁଥିଲା ଆମକୁ । କେମିତି ଏକ ସମ୍ମୋହନରେ ପଡି ଯାଉଥିଲା ଏ ମନ । ଏ କି ମାୟା ମହାବାହୁ ! ଏ କି କୁହୁକ ! କେବେ ବି ମୋ ଜୀବନ କାଳରେ ଏମିତି ଅନୁଭୁତି କେବେ ବି ହୋଇ ନଥିଲା । କେଉଁ ଏକ ମହାଶୁନ୍ୟରେ ମିଶି ଯାଉଥିଲା ଏ ମନ । ଏ ବିରାଟ ବିଶ୍ୱରେ ଯେମିତି ମୁଁ ଭାସି ଯାଉଥିଲି ଏକ ନାବିକ ଶୁନ୍ୟ ବୋଇତ ପରି । କିଛି ସମୟ ଏମିତି ବିତିଗଲା । ଟିକେ ପ୍ରକୃତିସ୍ଥ ହୋଇ କଡକୁ ଚାହିଁଲି । ପାଖରେ ଠିଆ ହୋଇଥିଲେ ପତ୍ନୀ ମୋର । ଆଖି ଦୁଇରୁ ତାଙ୍କର ବି ବୋହି ଯାଉଥିଲା ଲୁହ ।

ଲୁହ ପୋଛି ଚାରି ଆଡକୁ ଚାହିଁଲି । କିଏ ହାତ ଦୁଇ ଉପରକୁ ଟେକି ଜଗନ୍ନାଥ ସ୍ୱାମୀ କହୁଥାଏ ତ କିଏ ଗରୁଡ ପାଖରେ ଛିଡା ହୋଇ ଘିଅ ଦୀପଟିଏ ବୁଲୋଉ ଥାଏ । କିଏ ଲମ୍ବ ହୋଇ ପ୍ରଣିପାତ କରୁଥାଏ ତ କିଏ ଜଣାଣ ଗାଉଥାଏ । ପଣ୍ଡାମାନେ ଚିରାଚରିତ ଢଙ୍ଗରେ ପାଦୁକ ତୁଳସୀ ବଢେଇ ଦେଇ ଆଶା କରୁଥାନ୍ତି ଦକ୍ଷିଣା । କିଏ କେତେ ଦୁଃଖ ଅଜାଡି ଦେଉଥାଏ ସେ କାଳିଆ ସାଆନ୍ତ ଆଗରେ । କିଏ ପୁଣି ସବୁ କୁଶଳ ମଙ୍ଗଳରେ ଚାଲିଥାଉ ବୋଲି ଗୁହାରି କରୁଥାଏ ।

ସେ କିନ୍ତୁ ଥାଏ ଅବିଚଳ । ରଙ୍ଗା ଅଧରରୁ ବୁଣି ଚାଲିଥାଏ ମାଦକତା ଭରା ହସ । ପୁନେଇ ଜହ୍ନ ପରି ଶାନ୍ତ ଶୀତଳ ସେ ହସ ହସ ମୁହଁ । ଯେତେବେଳେ ପାଖରେ ଜଣେ ମୁରବୀ ଥାଏ, ଆମେ ସବୁ କିଛି ତା ଉପରେ ଛାଡିଦେଇ କୁନି ଶିଶୁ ପରି ମାତିଯାଉ ଏ ସଂସାର ଖେଳରେ । ଅସୁବିଧାରେ ପଡିଲେ, ତା ପାଖରେ ଆସି ଅଳି ଅଝଟ କରୁ । ସେ ବୁଝେ କି ବୁଝେନା, ଆମେ ଜାଣୁନା । ଆମେ କିନ୍ତୁ ବୁଝିଯାଉ । ସୁଖ ଦୁଃଖ ତ ତୋ ଲୀଳାଖେଳା । ତୁ ଏବେ ବୁଝୁ..

ସେ କିନ୍ତୁ ଚାହିଁ ଥାଏ ସେମିତି ବଡ ବଡ ଆଖିରେ । ମନ୍ଦ ମନ୍ଦ ହସ ଝରୁଥାଏ ଅଧରରୁ..

1 comment:

  1. ଭାବର ଠାକୁର ସିଏ, ତାଙ୍କୁ ପରା ସଂସାରର ସମସ୍ତଙ୍କ କଥା ବୁଝିବାକୁ ହୁଏ, ତାଙ୍କୁ କିଏ ଖରାପ କ‌ହିଲେ ବି ସେ କାହାକୁ ଖରାପ ପାଅନ୍ତିନି କି କାହା ପ୍ରତି ତାଙ୍କର ଭଲପାଇବା କମ୍ ହେଇଯାଏନି । ସେ ପରା ଓଡ଼ିଆ ଜାତିର ନେତା, ସାରା ଜଗତର ଦେବତା । ସଭିଏଁ ହେଉଛନ୍ତି ସୁଖବେଳର ବନ୍ଧୁ, କିନ୍ତୁ ସେ ଏକା ସୁଖଦୁଃଖ ସବୁକାଳର ବନ୍ଧୁ । ମଲାପରେ ବି ସେ ତା'ର ଭକ୍ତକୁ ସେମିତି ଭଲପାଉଥାଏ । ସେ ସେହି ଅଝଟିଆ କାଳିଆ ଠାକୁର ।

    ReplyDelete